ଓଡ଼ିଶାରେ ବନ୍ଦର ପ୍ରଭାବ: ରାସ୍ତାଘାଟରୁ ରେଳ ଷ୍ଟେସନ, ସବୁଠି ଆନ୍ଦୋଳନର ତାତି
ଭୁବନେଶ୍ୱର, ୮/୧୦: ବିଭିନ୍ନ ଦାବିକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆଜି ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ସାରା ରାଜ୍ୟରେ ଅନୁଭୂତ ହୋଇଛି। ସକାଳୁ ବିଭିନ୍ନ ସହର ଓ ସହରତଳି ଅଞ୍ଚଳରେ ଆନ୍ଦୋଳନକାରୀମାନେ ପିକେଟିଂ, ରାସ୍ତାରୋକ ଓ ବିକ୍ଷୋଭ କରିବାରୁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି। ବସ୍, ଅଟୋ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ କେତେକ ସ୍ଥାନରେ ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମ୍ଏମ୍ଡିଆର ବିଲ୍ ପ୍ରତ୍ୟାହାର ଏବଂ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ସହ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ୍), ଏନ୍ସିପି, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଆରଜେଡି ଓ ଜେଏମ୍ଏମ୍ ଭଳି ଦଳ ଏଥିରେ ସାମିଲ ହୋଇଛନ୍ତି।
ରାଜଧାନୀରେ ପିକେଟିଂ, ରେଳ ଷ୍ଟେସନରେ ଧସ୍ତାଧସ୍ତି
ବନ୍ଦର ପ୍ରଭାବ ସକାଳୁ ଭୁବନେଶ୍ୱରରେ ସ୍ପଷ୍ଟ ଭାବେ ଦେଖାଦେଇଥିଲା। ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଥିଲେ। ମାଷ୍ଟର କ୍ୟାଣ୍ଟିନ୍ ଛକରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର କର୍ମକର୍ତ୍ତାମାନେ ବିକ୍ଷୋଭ କରିଥିଲେ। ରେଳ ଷ୍ଟେସନ ଭିତରକୁ ପ୍ରବେଶ ପାଇଁ ଆନ୍ଦୋଳନକାରୀମାନେ ଉଦ୍ୟମ କରିବା ବେଳେ ପୁଲିସ ସହ ଠେଲାପେଲା ପରିସ୍ଥିତି ଉପୁଜିଥିଲା।
କଟକ ରେଳ ଷ୍ଟେସନରେ ମଧ୍ୟ ଟ୍ରେନ୍ ରୋକିବାକୁ କଂଗ୍ରେସ କର୍ମୀମାନେ ଉଦ୍ୟମ କରିଥିଲେ। ଏହାକୁ ନେଇ ଆର୍ପିଏଫ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖାଯାଇଥିଲା।
ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ
ବାଲେଶ୍ୱର ଜିଲ୍ଲା ସୋରରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିଲା। ଉତ୍ତରେଶ୍ୱର ନିକଟରେ କଂଗ୍ରେସ କର୍ମୀମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଭଦ୍ରକରେ ମଧ୍ୟ ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରାଯାଇଥିଲା।
ପୁରୀରେ ରେଳ ଷ୍ଟେସନ ନିକଟରେ ବିକ୍ଷୋଭ କରାଯାଇଥିବା ବେଳେ ଷ୍ଟେସନ ଭିତରକୁ ପ୍ରବେଶ ଉଦ୍ୟମ ସମୟରେ ରେଳବାଇ ପୁଲିସ ସହ ଆନ୍ଦୋଳନକାରୀଙ୍କ ମୁହାଁମୁହିଁ ସ୍ଥିତି ହୋଇଥିଲା। ବସ୍ଷ୍ଟାଣ୍ଡ, ଅଠରନଳା ଓ କଚେରି ଅଞ୍ଚଳ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଆନ୍ଦୋଳନକାରୀମାନେ ଆହ୍ୱାନ ଦେଇଥିଲେ।
କୋରାପୁଟରେ ମଧ୍ୟ ବନ୍ଦର ବ୍ୟାପକ ପ୍ରଭାବ ଦେଖାଯାଇଥିଲା। ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ଅଧିକାଂଶ ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଥିବା ଜଣାପଡ଼ିଛି।
ସୁରକ୍ଷା ବ୍ୟବସ୍ଥା କଡ଼ା
ଓଡ଼ିଶା ବନ୍ଦକୁ ନଜରରେ ରଖି ସାରା ରାଜ୍ୟରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ସ୍ଥିତିର ସମୀକ୍ଷା କରିବା ସହ ଜନସାଧାରଣଙ୍କ ସୁରକ୍ଷା, ଯାତାୟାତ ବ୍ୟବସ୍ଥା ଏବଂ ସରକାରୀ ଓ ଜନସାଧାରଣଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଭିନ୍ନ ସମ୍ବେଦନଶୀଳ ସ୍ଥାନ, ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ ଓ ପ୍ରମୁଖ ଛକରେ ପୁଲିସ ମୁତୟନ କରାଯାଇଥିବା ବେଳେ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି।
