Spread the love

କଠୁଆରେ CISF ଶିବିରରେ ଗୁଳିକାଣ୍ଡ: ଅଫିସରଙ୍କ ସମେତ ୪ ଯବାନ ମୃତ

କଠୁଆ: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ CISF ଶିବିର ଭିତରେ ଘଟିଛି ଭୟାବହ ଗୁଳିକାଣ୍ଡ। ଜଣେ CISF ଯବାନ ନିଜ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ଜଣେ ଅଫିସରଙ୍କ ସମେତ ୪ ଜଣ ଯବାନଙ୍କ ମୃତ୍ୟୁ ଘଟିଛି।

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୪୦ରେ ବସୋହଲି ତହସିଲ ଅନ୍ତର୍ଗତ ସେବା-୨ ହାଇଡେଲ୍ ପାୱାର ପ୍ରୋଜେକ୍ଟର CISF ଶିବିରରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ମୁଖ୍ୟ କନେଷ୍ଟବଳ ଅବଧେଶ କୁମାର ସିଂହ ଅଫିସ୍ ପରିସରରେ AK-47ରୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଗୁଳିକାଣ୍ଡରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଙ୍କିତ କୁମାର ପାଣ୍ଡେ, ଏସ୍‌ଆଇ ଲକ୍ଷ୍ମଣ ସିଂହ, କନେଷ୍ଟବଳ ରଫିକ ଅହମଦ ଓ କନେଷ୍ଟବଳ ସନ୍ଦୀପ କୁମାରଙ୍କ ମୃତ୍ୟୁ ଘଟିଛି।

ଘଟଣା ପରେ ଗୁରୁତର ଆହତ ଯବାନମାନଙ୍କୁ ଏନ୍‌ଏଚ୍‌ପିସି ହସ୍ପିଟାଲକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଘଟଣାର ଖବର ପାଇ କଠୁଆରୁ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। CISF ପକ୍ଷରୁ ମଧ୍ୟ ଆଭ୍ୟନ୍ତରୀଣ ତଦନ୍ତ ଚାଲିଛି। ଘଟଣାର ତଦନ୍ତ ପାଇଁ CISF ମୁଖ୍ୟାଳୟ ପକ୍ଷରୁ କୋର୍ଟ ଅଫ୍ ଏନ୍‌କ୍ୱାରି ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏହି ଗୁଳିକାଣ୍ଡ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଡ୍ୟୁଟି ପରିବର୍ତ୍ତନ ସମୟରେ ଯବାନମାନଙ୍କ ମଧ୍ୟରେ ବଚସା ପରେ ଗୁଳିକାଣ୍ଡ ଘଟିଥିବା ନେଇ ପ୍ରାଥମିକ ଭାବେ କୁହାଯାଉଛି। ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ କାରଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *