Spread the love

କୋଇଲା ଧୂଳିରେ ଅଣନିଶ୍ୱାସୀ ତାଳଚେରବାସୀ, ରାସ୍ତା ଯନ୍ତ୍ରଣାରେ ଛଟପଟ

୧୩ କିମି ରାସ୍ତା ଅତିକ୍ରମ ପାଇଁ ଲାଗୁଛି ୪ରୁ ୫ ଘଣ୍ଟା; ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ବି ଫସୁଛି

ବର୍ଷ ବର୍ଷର ସମସ୍ୟାର ସମାଧାନ କେବେ? ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ

ତାଳଚେର, ୨୪ ଅକ୍ଟୋବର: ଶିଳ୍ପ ସମୃଦ୍ଧ ତାଳଚେର ଅଞ୍ଚଳରେ ପ୍ରଦୂଷଣ ଓ ଦୟନୀୟ ରାସ୍ତାଘାଟ ସମସ୍ୟା ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କୋଇଲା ଖଣି, ଶିଳ୍ପାନୁଷ୍ଠାନ ଓ ଭାରୀଯାନ ଚଳାଚଳରୁ ସୃଷ୍ଟି ହେଉଥିବା ଧୂଳିଧୂଆଁ ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିବା ବେଳେ ରାସ୍ତାର ଅବ୍ୟବସ୍ଥା ଯୋଗୁଁ ଯାତାୟାତ ମଧ୍ୟ ଦୁର୍ବିଷହ ହୋଇଛି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରୁ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

୧୩ କିମି ରାସ୍ତା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା

ତାଳଚେର ବ୍ଲକର ତାଳବେଡ଼ାଠାରୁ ଚାଇଁପାଳ ଦେଇ ବଅଁରପାଳକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଯାତାୟାତ ଏବେ ଯାତ୍ରୀଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇପଡ଼ିଛି। ରାସ୍ତାର ଦୟନୀୟ ଅବସ୍ଥା, ଭାରୀଯାନର ଅତ୍ୟଧିକ ଚଳାଚଳ ଏବଂ ଅନିୟନ୍ତ୍ରିତ ପାର୍କିଂ ଯୋଗୁଁ ଟ୍ରାଫିକ୍ ସମସ୍ୟା ଗୁରୁତର ରୂପ ନେଇଛି।

ଅଭିଯୋଗ ଅନୁଯାୟୀ, ମାତ୍ର ୧୩ କିଲୋମିଟର ରାସ୍ତା ଅତିକ୍ରମ କରି ବଅଁରପାଳରେ ପହଞ୍ଚିବା ପାଇଁ ୪ରୁ ୫ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗୁଛି। ରାସ୍ତାକଡ଼ରେ ମନଇଚ୍ଛା ଗାଡ଼ି ପାର୍କିଂ, ତେଲ ପକାଇବା ଓ ମରାମତି ନାମରେ ଭାରୀଯାନ ରଖାଯିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି।

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଟ୍ରାଫିକ୍ ଜାମ୍‌ରେ ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସ୍‌ ଓ ଅଗ୍ନିଶମ ଗାଡ଼ି ମଧ୍ୟ ଫସି ରହୁଛି। ଏହାଦ୍ୱାରା ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହୁଛି।

କୋଇଲା ଧୂଳିରେ କଳା ପଡ଼ୁଛି ଘରଦ୍ୱାର, ଗଛଲତା

ତାଳଚେର ଉପଖଣ୍ଡରେ ବିଭିନ୍ନ କୋଇଲା ଖଣି ସହିତ ଏନ୍‌ଟିପିସି ଓ ଡେରେଙ୍ଗସ୍ଥିତ ଜିନ୍ଦଲ ଭଳି ଶିଳ୍ପାନୁଷ୍ଠାନ ରହିଛି। ଏହି ଶିଳ୍ପାନୁଷ୍ଠାନ ଓ ଖଣିରୁ କୋଇଲା ଏବଂ ପାଉଁଶ ବୋଝେଇ ଶହ ଶହ ଭାରୀଯାନ ଦୈନିକ ଏହି ରାସ୍ତା ଦେଇ ଯାତାୟାତ କରୁଛି।

ଫଳରେ ରାସ୍ତା ଉପରେ କୋଇଲା ଗୁଣ୍ଡ ଓ ଧୂଳି ଜମି ରହୁଛି। ଗାଡ଼ି ଚଳାଚଳ ସମୟରେ ଏହି ଧୂଳି ଉଡ଼ି ପରିବେଶକୁ ପ୍ରଦୂଷିତ କରୁଛି। ରାସ୍ତାକଡ଼ରେ ଥିବା ଘରଦ୍ୱାର ଓ ଗଛପତ୍ର ଧୂଳିରେ କଳା ପଡ଼ିଯାଉଥିବା ବେଳେ ସାଇକେଲ ଓ ମୋଟରସାଇକେଲ ଆରୋହୀମାନେ ମଧ୍ୟ ଯାତାୟାତ ସମୟରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।

ଧୂଳି ଯୋଗୁଁ ରାସ୍ତା ଠିକ୍‌ ଭାବେ ଦେଖାଯାଉ ନଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ୁଛି। ଦୀର୍ଘ ସମୟ ଧରି ଧୂଳିଧୂଆଁ ମଧ୍ୟରେ ରହିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି।

ରାସ୍ତା ସମ୍ପ୍ରସାରଣ କାର୍ଯ୍ୟକୁ ନେଇ ଅସନ୍ତୋଷ

ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱରେ ପାଉଁଶ ବିଛାଯାଉଥିବା ଏବଂ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହୋଇଛି।

ରାସ୍ତାରେ ନିୟମିତ ପାଣି ସିଞ୍ଚନ କରାଯାଉ ନଥିବାରୁ ଧୂଳି ନିୟନ୍ତ୍ରଣ ହୋଇପାରୁ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।

ତାଳବେଡ଼ା, ଚାଳକିଆକୂଟା, ତାଳଚେର କଲେଜ, ବାଇପାସ୍ ଛକ, ବଲଣ୍ଡା ଥର୍ମାଲ, ଆନନ୍ଦବଜାର ଓ ଚାଇଁପାଳ ଭଳି ଅଞ୍ଚଳରେ ଧୂଳି ପ୍ରଦୂଷଣ ସମସ୍ୟା ଅଧିକ ଅନୁଭୂତ ହେଉଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ବି ମିଳୁନି ସମାଧାନ

ପ୍ରଦୂଷଣ ଓ ରାସ୍ତା ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକେ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଫୋରମ୍‌ରେ ଅଭିଯୋଗ ଜଣାଇଥିଲେ ମଧ୍ୟ ଆଶାନୁରୂପ ସୁଫଳ ମିଳିନଥିବା ସେମାନେ କହିଛନ୍ତି।

ଅଞ୍ଚଳରୁ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ରାଜସ୍ୱ ପାଉଥିବା ସତ୍ତ୍ୱେ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ନ ହେବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ଏଥିସହ ଜିଲ୍ଲା ଖଣିଜ ପାଣ୍ଠିରେ କୋଟି କୋଟି ଟଙ୍କା ଥିବା ସତ୍ତ୍ୱେ ଏହି ଅର୍ଥକୁ ପ୍ରଦୂଷଣ ନିୟନ୍ତ୍ରଣ ଓ ରାସ୍ତା ସମସ୍ୟାର ସମାଧାନ ପାଇଁ କାହିଁକି ଉପଯୋଗ କରାଯାଉନାହିଁ, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ଆନ୍ଦୋଳନ ଆଶଙ୍କା, ପ୍ରଶାସନର ପଦକ୍ଷେପକୁ ଅପେକ୍ଷା

ଏହି ରାସ୍ତା ଦେଇ ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ ଏବଂ ଜାତୀୟ ରାଜପଥ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଦୀର୍ଘଦିନର ଏହି ସମସ୍ୟାର ସମାଧାନ ପାଇଁ ରାସ୍ତା ମରାମତି, ଧୂଳି ନିୟନ୍ତ୍ରଣ, ଭାରୀଯାନ ପାର୍କିଂର ସୁବ୍ୟବସ୍ଥା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବାର ସମ୍ଭାବନା ରହିଥିବାରୁ ପ୍ରଶାସନ ଏବେଠାରୁ ଠୋସ୍ ପଦକ୍ଷେପ ନେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ଦେଉଛନ୍ତି।

Leave a Reply

Your email address will not be published. Required fields are marked *