ଘାଟିକିଆରେ ‘ବଜରଙ୍ଗୀ ଖେଳପଡ଼ିଆ’ ଉଦଘାଟିତ: ଯୁବପିଢ଼ିଙ୍କ କ୍ରୀଡ଼ା ବିକାଶ ପାଇଁ ନୂତନ ପଦକ୍ଷେପ
ଭୁବନେଶ୍ୱର (ଆମ ପ୍ରତିନିଧି):
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଘାଟିକିଆ ଅଞ୍ଚଳରେ ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ ‘ବଜରଙ୍ଗୀ ଖେଳପଡ଼ିଆ’କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିଛନ୍ତି।
ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମୁଖ୍ୟମନ୍ତ୍ରୀ ଫଳକ ଉନ୍ମୋଚନ କରି ପଡ଼ିଆର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ସମଗ୍ର ଖେଳପଡ଼ିଆ ବୁଲି ଦେଖିବା ସହ ସେଠାରେ ଉପସ୍ଥିତ ଯୁବ ଫୁଟବଲ ଖେଳାଳିମାନଙ୍କ ସହିତ କରମର୍ଦ୍ଦନ କରି ଉତ୍ସାହିତ କରିଥିଲେ। ଫୁଟବଲ୍ ସହ ଏଠାରେ ବାସ୍କେଟବଲ୍ ଓ ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ସ୍ଥାନୀୟ ଯୁବପ୍ରତିଭାମାନଙ୍କ ବିକାଶ ଦିଗରେ ଏହି ପଡ଼ିଆ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।
