*ତାଳଚେରରେ ପ୍ରାୟ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ପ୍ରଜାମଣ୍ଡଳ ଭବନ’ ଲୋକାର୍ପିତ*
-ଜିଲ୍ଲା ପ୍ରଶାସନର ଉଦ୍ୟମ ଓ ଡିଏମ୍ଏଫ୍ ପାଣ୍ଠିର ସଫଳ ଉପଯୋଗରେ ଆଧୁନିକ ରୂପ ନେଲା ସ୍ୱାଧୀନତା ସଂଗ୍ରାମର ସ୍ମୃତିପୀଠ
ଅନୁଗୋଳ,୧୧.୧୧ : ତାଳଚେରର ଐତିହାସିକ ପ୍ରଜାମଣ୍ଡଳ ଆନ୍ଦୋଳନର ସ୍ମୃତିକୁ ଉଜ୍ଜୀବିତ ରଖିବା ସହ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ର ମିଳିତ ଉଦ୍ୟମରେ ନିର୍ମିତ ଆଧୁନିକ ‘ପ୍ରଜାମଣ୍ଡଳ ଭବନ’ ଆଜି ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି। ଏହି ଉଦ୍ଘାଟନୀ ସମାରୋହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏହି ପ୍ରଜାମଣ୍ଡଳ ଭବନ ତାଳଚେର ସହରର ବୌଦ୍ଧିକ ପ୍ରତିଫଳନର କେନ୍ଦ୍ରବିନ୍ଦୁ ସାଜିବ ଏବଂ ନୂତନ ଚିନ୍ତାଧାରା ଓ ସାଂସ୍କୃତିକ ଜାଗରଣର ପ୍ରମୁଖ ମାଧ୍ୟମ ହେବ ବୋଲି କହିଥିଲେ। ସେହିଭଳି ପ୍ରଜାମଣ୍ଡଳ ଆନ୍ଦୋଳନର ବୀରତ୍ୱ ସହ ଯୋଡ଼ି ହୋଇଥିବା ଏହି ଆଧୁନିକ ଭବନ ଅଞ୍ଚଳରେ ସାମାଜିକ ଏକତା ଓ ଭାଇଚାରାକୁ ସୁଦୃଢ଼ କରିବ ବୋଲି ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି କହିଥିଲେ। ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ ଜିଲ୍ଲା ପ୍ରଶାସନର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ମହାପୁରୁଷଙ୍କ ସ୍ମୃତିଚାରଣରେ ଏହି ଭବନ ସହାୟକ ହେବ ବୋଲି କହିଥିଲେ। ପ୍ରାୟ ୧୨.୫୫ କୋଟି ବ୍ୟୟରେ ନିର୍ମିତ ପ୍ରଜାମଣ୍ଡଳ ଭବନର ସୁପରିଚାଳନା, ସୁରକ୍ଷା ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ପରିଚାଳନା କମିଟି ଗଠନ କରାଯାଇଛି। ଏହି କମିଟି ଭବନର ସମସ୍ତ ପ୍ରଶାସନିକ ଦିଗ ତଦାରଖ କରିବା ସହ ଏହାକୁ ସାଧାରଣ ଜନତାଙ୍କ ସାମାଜିକ, ସାଂସ୍କୃତିକ ଓ ଜନହିତକର କାର୍ଯ୍ୟକ୍ରମ ପାଇଁ ସୁବ୍ୟବସ୍ଥିତ ଭାବେ ଯୋଗାଇଦେବ।
ଏହି ଉଦଘାଟନୀ ସମାରୋହରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ତାଳଚେର ଉପଜିଲ୍ଲାପାଳ ଶ୍ରୀ ପ୍ରଜ୍ଞାନନ୍ଦନ ଗିରି, ତାଳଚେର ପୌରପାଳିକା ଅଧ୍ୟକ୍ଷ ଶ୍ରୀ ପବିତ୍ର ଭୂତିଆଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ବିପୁଳ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

