Spread the love

ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ: ଗଞ୍ଜାମ ଓ ଗଜପତିରେ ମୁତୟନ ହେଲେ ୨୧ ଓଡ୍ରାଫ୍ ଟିମ୍, ଆସିକା ଓ ସୋରଡ଼ାରେ ଉଦ୍ଧାର କାର୍ଯ୍ୟ ଜୋରଦାର

​ଛତ୍ରପୁର/ଭୁବନେଶ୍ୱର:

ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍ଥିତି ମୁକାବିଲା ପାଇଁ ବ୍ୟାପକ ସଂଖ୍ୟାରେ ଓଡ୍ରାଫ୍ (ODRAF) ଟିମ୍ ମୁତୟନ କରାଯାଇଛି।

​ପ୍ରାପ୍ତ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଆସିକା ନିକଟସ୍ଥ ଋଷିକୂଲ୍ୟା ନଦୀ ପୋଲ ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଯାତ୍ରୀ ଓ ସାଧାରଣ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୮ମ ସାର୍ ବାଟାଲିୟନ (ଭଞ୍ଜନଗର)ର ଓଡ୍ରାଫ୍ ସବ୍-ଟିମ୍ ନଂ-୧ ଏବଂ ୨ ମିଳିତ ଭାବେ ଏହି ସ୍ଥାନାନ୍ତରଣ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଅନ୍ୟପଟେ, ସୋରଡ଼ା ବ୍ଲକ୍‌ ଅନ୍ତର୍ଗତ ପଳକାଟୁ ପଞ୍ଚାୟତ/ଗ୍ରାମରେ ବନ୍ୟା ଜଳ ଘେରରେ ଫସି ରହିଥିବା ୬ ଜଣ ପୁରୁଷ, ୩ ଜଣ ମହିଳା ଓ ୬ ଜଣ ଶିଶୁଙ୍କ ସମେତ ସମୁଦାୟ ୧୫ ଜଣଙ୍କୁ ଓଡ୍ରାଫ୍ ସବ୍-ଟିମ୍ ନଂ-୩ ସୁରକ୍ଷିତ ଭାବେ ଉଦ୍ଧାର କରି ପଞ୍ଚାୟତ ଭବନ ଆଶ୍ରୟସ୍ଥଳୀକୁ ପଠାଇଛି।

​ଗଜପତି ଜିଲ୍ଲା ପାଇଁ କୋରାପୁଟରୁ ଗୋଟିଏ ରିଜର୍ଭ ୟୁନିଟ୍ ଏବଂ ରାୟଗଡ଼ାରୁ ଗୋଟିଏ ୟୁନିଟ୍ ପଠାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ୬ଟି ଓଡ୍ରାଫ୍ ଟିମ୍ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିୟୋଜିତ ହେବେ। ସେହିଭଳି ଗଞ୍ଜାମ ଜିଲ୍ଲା ପାଇଁ ମୋଟ ୧୫ଟି ଓଡ୍ରାଫ୍ ଟିମ୍ ପଠାଯାଉଛି। ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଏବଂ ଭଦ୍ରକରୁ ଟିମ୍‌ଗୁଡ଼ିକୁ ଗଞ୍ଜାମ ଅଭିମୁଖେ ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *