Spread the love

### ବଅଁରପାଳରେ ମଣ୍ଡଳସ୍ତରୀୟ କ୍ରୀଡ଼ା ମହୋତ୍ସବ, ବିଜେତାଙ୍କୁ ପୁରସ୍କୃତ କଲେ ବିଧାୟକ

ପାଞ୍ଚଗଡ଼ PBK ଉଚ୍ଚ ବିଦ୍ୟାଳୟରେ ଜମିଲା ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ଉତ୍ସାହ

ବଅଁରପାଳ: ଖେଳ ପଡ଼ିଆରେ ଦେଖିବାକୁ ମିଳିଲା ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ପ୍ରତିଭାର ଝଲକ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପାଞ୍ଚଗଡ଼ ବିଜୟ କୁମାର (PBK) ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଖେଳାଳିଙ୍କୁ ପୁରସ୍କୃତ କରାଯିବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ପୁରସ୍କାର ବିତରଣ କରିଥିଲେ। ଖେଳକୁ କେବଳ ବିଜୟ ଓ ପରାଜୟ ଦୃଷ୍ଟିରୁ ନ ଦେଖି ଶୃଙ୍ଖଳା, ଧୈର୍ଯ୍ୟ, ଦଳଗତ ମନୋଭାବ ଏବଂ ଆତ୍ମବିଶ୍ୱାସର ମାଧ୍ୟମ ଭାବେ ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯାଇଥିଲା।

ଏହି ଅବସରରେ ୨୮ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ବଅଁରପାଳ ବିଡିଓ ଲୋଚନ ଦାସ ଏବଂ ବ୍ଲକ ଶିକ୍ଷା ଅଧିକାରୀ ମାନସ ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ସହ ଶିକ୍ଷା ଓ କ୍ରୀଡ଼ା ମଧ୍ୟରେ ସମନ୍ୱୟ ରଖି ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ।

ବିଦ୍ୟାଳୟସ୍ତରରେ ଏଭଳି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା ଓ ପ୍ରତିଯୋଗିତାମୂଳକ ଚେତନାର ବିକାଶ ହୋଇପାରିବ। ଏଥିସହ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ଭବିଷ୍ୟତରେ ବଡ଼ କ୍ରୀଡ଼ା ମଞ୍ଚରେ ନିଜ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ମିଳିବ ବୋଲି ଆଶା ପ୍ରକାଶ ପାଇଛି।

 

Leave a Reply

Your email address will not be published. Required fields are marked *