Spread the love

ବାତ୍ୟା ଅର୍ଣ୍ଣବ ପ୍ରଭାବ: ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଦିନ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ

ଆଜି ଅପରାହ୍ନ ୧ଟାରୁ ଛୁଟି, ୨୮ ଅକ୍ଟୋବର ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ; ୩୧ ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଖୋର୍ଦ୍ଧା, ୨୭/୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟକୁ ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି।

ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ, ଆଜି ଅର୍ଥାତ୍ ଅକ୍ଟୋବର ୨୭ ତାରିଖ ଅପରାହ୍ନ ୧ଟାରୁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ଏଥିସହ ଆସନ୍ତାକାଲି ଅକ୍ଟୋବର ୨୮ ତାରିଖରେ ମଧ୍ୟ ସମସ୍ତ ବିଦ୍ୟାଳୟ ବନ୍ଦ ରଖାଯିବ। ଶିଶୁ ବାଟିକାଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହେବ।

ବିଦ୍ୟାଳୟରେ ଉପସ୍ଥିତ ରହିବେ ଶିକ୍ଷକ ଓ କର୍ମଚାରୀ

ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସମସ୍ତ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜରୁରୀ ପରିସ୍ଥିତିରେ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ବିଦ୍ୟାଳୟ କୋଠା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

ବାତ୍ୟା ସମୟରେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବା ସହ ଆବଶ୍ୟକସ୍ଥଳେ ବିଦ୍ୟାଳୟ କୋଠାକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବା ନିମନ୍ତେ ପ୍ରସ୍ତୁତି ରଖିବାକୁ କୁହାଯାଇଛି।

୨୪ ଘଣ୍ଟା ଖୋଲା ରହିବ ବିଦ୍ୟାଳୟ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଦ୍ୟାଳୟଗୁଡ଼ିକୁ ୨୪ ଘଣ୍ଟା ଖୋଲା ରଖିବା ନିମନ୍ତେ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା ଲାଗୁ କରିବାକୁ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ କର୍ମଚାରୀଙ୍କ ଡ୍ୟୁଟି ନିର୍ଦ୍ଧାରଣ କରିବା ସହ ବିଦ୍ୟାଳୟରେ ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି।

ଜିଲ୍ଲା ପ୍ରଶାସନର ଏହି ନିର୍ଦ୍ଦେଶକୁ ତୁରନ୍ତ ଏବଂ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ସମ୍ପୃକ୍ତ ଅଧିକାରୀ, ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।

୩୧ ଅକ୍ଟୋବର ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଅନ୍ୟପକ୍ଷରେ, ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲାରେ ପ୍ରଶାସନିକ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଲାଗି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ବାତ୍ୟାଜନିତ ଜରୁରୀ ପରିସ୍ଥିତିରେ ସରକାରୀ କାର୍ଯ୍ୟ ଓ ଉଦ୍ଧାର କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ସହ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଆହ୍ୱାନ କରାଯାଇଛି।

Leave a Reply

Your email address will not be published. Required fields are marked *