ବାତ୍ୟା ଆଶଙ୍କା: ଅକ୍ଟୋବର ୨୬ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ପୂର୍ବରୁ ପଞ୍ଜୀକରଣ କରିଥିବା ଲୋକଙ୍କୁ ଆଶ୍ୱସ୍ତି, ପୁନଃ ପଞ୍ଜୀକରଣ ଆବଶ୍ୟକ ନାହିଁ
ଭୁବନେଶ୍ୱର, ୨୪ ଅକ୍ଟୋବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବର ୨୬, ସୋମବାର ଦିନ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର ୟୁନିଟ୍-୨ ଅଶୋକ ନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ, କ୍ୟାପିଟାଲ ନର୍ସରୀ ନିକଟରେ ଏହି ଅଭିଯୋଗ ଶୁଣାଣି ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା।
ସମ୍ଭାବ୍ୟ ବାତ୍ୟା ଯୋଗୁଁ ସୃଷ୍ଟି ହେବାକୁ ଥିବା ପରିସ୍ଥିତି ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ପଞ୍ଜୀକରଣ କରିଥିବା ଲୋକଙ୍କୁ ଆଶ୍ୱସ୍ତି
ଅକ୍ଟୋବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଅଭିଯୋଗ ଜଣାଇବା ପାଇଁ ଯେଉଁମାନେ ଅନଲାଇନ୍ରେ ପଞ୍ଜୀକରଣ କରିଥିଲେ, ସେମାନଙ୍କୁ ପୁନର୍ବାର ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଜନ ଅଭିଯୋଗ ଶୁଣାଣି ପାଇଁ ସେମାନଙ୍କୁ ନୂଆ କରି ଆବେଦନ କରିବାର ଆବଶ୍ୟକତା ନଥିବା ସ୍ପଷ୍ଟ କରାଯାଇଛି।
ପରବର୍ତ୍ତୀ ଅଭିଯୋଗ ଶୁଣାଣି ସମ୍ପର୍କରେ ସରକାରଙ୍କ ପକ୍ଷରୁ ଦିଆଯିବାକୁ ଥିବା ସୂଚନାକୁ ଅପେକ୍ଷା କରାଯାଇଛି।
