ଭଟଲି ବିଇଓ ଭାବରେ ଦାୟିତ୍ୱ ନେଲେ ମଚିନ୍ଦ୍ର ମଲ୍ଳିକ
ଭଟଲି :- ଅମ୍ବାଭୋନା ବ୍ଳକ ଶିକ୍ଷା ଅଧିକାରୀ ତଥା ଭଟଲି ର ଭାରପ୍ରାପ୍ତ ବିଇଓ ଭାବନା ସାହୁ ବରଗଡ଼ ବ୍ଳକକୁ ସ୍ଥାନାନ୍ତରିତ ହେବା ପରେ ଆଜି ବୁଧବାର ଭେଡେନ ବିଇଓ ମଚିନ୍ଦ୍ର ମଲ୍ଳିକ ନୂତନ ଭାରପ୍ରାପ୍ତ ବିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଏବିଇଓ ରିତା ରାଣୀ ତ୍ରିପାଠୀ ଙ୍କ ତତ୍ବାବଧାନରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ସୁଶାନ୍ତ ସୁନା, ଲୋକନାଥ ମେହେର, ଯୋଗେଶ୍ୱର ପଧାନ, ଭୁବନ ମହାନ୍ତି, ବିଭୁତି ଭୁଷଣ ଦାଶ, କୈଳାସ ଚନ୍ଦ୍ର ଦାଶ, ଜୟଦ୍ରଥ ପଧାନଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଶ୍ରୀଯୁକ୍ତ ମଲ୍ଲିକଙ୍କୁ ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ ଭଟଲି ବ୍ଲକ ବାରମ୍ବାର ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ବେଳେ ସବୁବେଳେ ଭଟଲି ଶିକ୍ଷା ବିଭାଗ ପ୍ରତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବୈମାତୃକ ମନୋଭାବ ରଖିଲା ଭଳି ପରିଲକ୍ଷିତ ହେଉଛି । ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଯୋଗଦାନ କରିବା ପରେ ଭଟଲି ବ୍ଲକ୍ ଶିକ୍ଷାକ୍ଷେତ୍ରରେ ବହୁତ୍ ମାତ୍ରାରେ ଉନ୍ନତି କରିଥିଲା । କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ସହଶିକ୍ଷା କ୍ଷେତ୍ରରେ ମଧ୍ୟ ଭଟଲି ବ୍ଲକ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ତାଙ୍କ ପଦୋନ୍ନତି ପରେ ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ୨୦.୦୭.୨୦୨୧ରେ ସରୋଜ କୁମାର ଭୁଏ କାର୍ଯ୍ୟଭାର ଗ୍ରହଣ କରି ଭଟଲି ଶିକ୍ଷା ବିଭାଗରେ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପକୁ ଆଗେଇ ନେଇଥିଲେ । ବହୁତ୍ ସୂଚାରୁ ରୂପେ ସମ୍ପାଦିତ ହେଉଥିଲା ଭଟଲି ବ୍ଲକ୍ । ଯାହା ବି ସମସ୍ୟା ଆସୁଥିଲା ସେ ଯଥା ସମ୍ଭବ ସମାଧାନ ପାଇଁ ସର୍ବଦା ତତ୍ପର ରହୁଥିଲେ । ମାତ୍ର ୧୬.୦୪.୨୦୨୫ ଦିନ ଶ୍ରୀ ଭୁଏ ଭଟଲି ବିଇଓ ରୁ ପଦୋନ୍ନତି ପାଇ ବରଗଡ ଏଡିଇଓ ଭାବେ ବଦଳି ହେଲେ । ସେ ସମୟରେ ଏବିଇଓ ଦାୟିତ୍ୱରେ ଥିବା ଜୟଶ୍ରୀ ମହାନ୍ତୀ ୩୦.୦୫.୨୦୨୫ ପର୍ଯ୍ୟନ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ରହି କିଛିଦିନ ଶିକ୍ଷା କାର୍ଯ୍ୟାଳୟର ଭାର ସମ୍ଭାଳି ନେଇଥିଲେ । ପରେ ପରେ ସୋହେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୃତା ସାହୁ ଭଟଲି ବିଇଓ ଦାୟିତ୍ୱ ନେଇ ନିଜ କାର୍ଯ୍ୟକୁ ସୁଚାରୂ ରୂପେ ସମ୍ପାଦନ କରୁଥିଲେ । କିନ୍ତୁ ତାଙ୍କର ମଧ୍ୟ ଏଡିଇଓ ଭାବେ ପଦୋନ୍ନତି ହେବା ପରେ ପ୍ରାୟତଃ ଶିକ୍ଷାବ୍ୟବସ୍ଥାରେ କିଛିଟା ଦୁର୍ବଳତା ଦୃଷ୍ଟିକୁ ଆସିଥିଲା । ତାଙ୍କ ବଦଳି ପରେ ଏବିଇଓ ରିତାରାଣୀ ତ୍ରୀପାଠୀ ଶିକ୍ଷାବିଭାଗର ମଙ୍ଗ ଧରି ଯଥାଶକ୍ତି ନିଜ କାର୍ଯ୍ୟ ତୁଳାଇ ଆସୁଥିଲେ । ତେବେ ପରବର୍ତ୍ତୀ ସମୟରେ ବିଭାଗୀୟ ଅର୍ଥ କାରବାର ତଥା ଶିକ୍ଷକ ଓ କର୍ମଚାରୀ ମାନଙ୍କ ଦରମା ପ୍ରଦାନ ପାଇଁ ବରଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ସୁରେନ୍ଦ୍ର କୁମାର ସାହୁ ଅସ୍ଥାୟୀ ଭାବରେ ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱ ବହନ କରିଥିଲେ । ମାତ୍ର ପରିତାପର ବିଷୟ ଭଟଲି ବ୍ଲକ୍ କୁ ଏପ୍ରିଲ ମାସରେ ଅମ୍ବାଭୋନା ବିଇଓ ଭାବନା ସାହୁ ଭଟଲି ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବା ପାଇଁ ଯୋଗଦାନ କରିଥିଲେ । ବିଡମ୍ବନାର ବିଷୟ ଏହି ଯେ ବ୍ଲକ ପ୍ରତି ତିନି ଜଣ ଏବିଇଓ ରହିବା ସ୍ଥାନରେ ମାତ୍ର ଜଣେ ଅଛନ୍ତି। କାହିଁକି ଭଟଲି ଶିକ୍ଷା ବିଭାଗ ପ୍ରତି ଏପରି ଅବହେଳା କରାଯାଉଛି ତାହା ସେଥିପ୍ରତି ଧ୍ୟାନ ଦେଇ ସ୍ଥାୟୀ ବିଇଓ ସହିତ ଆଉ ଦୁଇ ଜଣ ଏବିଇଓ ଯଥାଶୀଘ୍ର ନିଯୁକ୍ତ କରିବାକୁ ଦାବି ହେଉଛି ।

