ରଜତ ଜୟନ୍ତୀ ପାଳିଲା ଏକୀକୃତ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟାଳୟ: ୨୫ ବର୍ଷର ଯାତ୍ରାରେ ‘ସଂଯୁକ୍ତତା ଓ ଏକୀକରଣ’ ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ, ୧/୧୦: ଦେଶର ପ୍ରତିରକ୍ଷା ବ୍ୟବସ୍ଥାରେ ତିନି ସେନା ମଧ୍ୟରେ ସମନ୍ୱୟ ଓ ଏକୀକରଣକୁ ଆହୁରି ସୁଦୃଢ଼ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଏକୀକୃତ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟାଳୟ (HQ IDS) ନିଜର ୨୫ ବର୍ଷ ପୂରଣ କରିଛି। ୨୦୦୧ ଅକ୍ଟୋବର ୧ରେ ନୂଆଦିଲ୍ଲୀରେ ସ୍ଥାପିତ ଏହି ପ୍ରତିଷ୍ଠାନର ରଜତ ଜୟନ୍ତୀ ଅବସରରେ ‘ତ୍ରି-ସେନା ଦିବସ’ ପାଳନ କରାଯାଇଛି।
ରଜତ ଜୟନ୍ତୀର ଅଂଶ ଭାବେ “ସଂଯୁକ୍ତତା ଓ ଏକୀକରଣ ମାଧ୍ୟମରେ ଭବିଷ୍ୟତ ପାଇଁ ପ୍ରସ୍ତୁତି” ବିଷୟବସ୍ତୁକୁ ନେଇ ‘ତ୍ରିଶକ୍ତି ମନ୍ଥନ’ ଆୟୋଜିତ ହୋଇଥିଲା। ଏଥିରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଓ ସାମରିକ ବ୍ୟାପାର ବିଭାଗର ସଚିବ ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣ୍ୟମ ଏବଂ ଚିଫ୍ ଅଫ୍ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ଏୟାର ମାର୍ଶାଲ୍ ତେଜିନ୍ଦର ସିଂହ ଯୋଗଦେଇ ଉଦ୍ବୋଧନ ଦେଇଥିଲେ।
ସଂଯୁକ୍ତ ଅଭିଯାନ ଉପରେ ଗୁରୁତ୍ୱ
ଆଲୋଚନାରେ ସଂଯୁକ୍ତ ଅପରେସନ୍ ପାଇଁ ସିଦ୍ଧାନ୍ତ, ଯୁକ୍ତ ପ୍ରଶିକ୍ଷଣ ବ୍ୟବସ୍ଥା, ସମନ୍ୱିତ ସାମରିକ ଅଭ୍ୟାସ ଏବଂ ମାନବୀୟ ସହାୟତା ଓ ବିପର୍ଯ୍ୟୟ ପରିଚାଳନା (HADR) ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ରଜତ ଜୟନ୍ତୀ ଅବସରରେ ଗତ ୨୫ ବର୍ଷର ଯାତ୍ରା ଓ ଉପଲବ୍ଧିକୁ ନେଇ ‘ରଜତ ଜୟନ୍ତୀ ପୁସ୍ତକ’ ପ୍ରକାଶ କରାଯାଇଥିଲା। ଏହା ସହ ପ୍ରତିଷ୍ଠାନର ପ୍ରମୁଖ ଉପଲବ୍ଧିକୁ ନେଇ ଏକ ଚଳଚ୍ଚିତ୍ର ମଧ୍ୟ ଉନ୍ମୋଚିତ ହୋଇଥିଲା।
ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ
ସଂଯୁକ୍ତତା ଓ ଏକୀକରଣକୁ ମଜବୁତ କରିବାରେ ଉଲ୍ଲେଖନୀୟ ଅବଦାନ ରଖିଥିବା କର୍ମଚାରୀଙ୍କୁ ‘CDS Unit Commendation’ ପ୍ରଦାନ କରାଯାଇଥିଲା। ଏଥିସହ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନଙ୍କ ସ୍ମୃତିରେ ଜାତୀୟ ଯୁଦ୍ଧ ସ୍ମାରକ ଓ ସଂଗ୍ରହାଳୟରେ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।
ସାଇବର, ମହାକାଶ ଓ AI ଉପରେ ନଜର
ବର୍ତ୍ତମାନର ପରିବର୍ତ୍ତିତ ସୁରକ୍ଷା ପରିବେଶକୁ ଦୃଷ୍ଟିରେ ରଖି ସାଇବର, ମହାକାଶ ଓ କୃତ୍ରିମ ବୁଦ୍ଧିମତ୍ତା (AI) ଭଳି ଉଦୀୟମାନ କ୍ଷେତ୍ର ପାଇଁ ପ୍ରତିରକ୍ଷା ବାହିନୀକୁ ପ୍ରସ୍ତୁତ କରିବାରେ HQ IDS ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି। ଏହା ସହ ଦେଶୀୟ ପ୍ରତିରକ୍ଷା କ୍ଷମତା ବିକାଶ ପାଇଁ ଗବେଷଣା ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ଶିଳ୍ପ କ୍ଷେତ୍ର ସହ ସହଯୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
‘ରଣ ସମ୍ବାଦ’, ‘ଯୁକ୍ତ କମାଣ୍ଡର୍ସ ସମ୍ମିଳନୀ’ ଓ ‘ଯୁକ୍ତ ଅପରେସନାଲ୍ ରିଭ୍ୟୁ ଆଣ୍ଡ ଆସେସ୍ମେଣ୍ଟ’ ଭଳି ମଞ୍ଚ ମାଧ୍ୟମରେ ତିନି ସେନା ମଧ୍ୟରେ ସମନ୍ୱୟ ବଢ଼ାଇବା ସହ ବର୍ତ୍ତମାନର ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଆଲୋଚନାକୁ ସୁଦୃଢ଼ କରାଯାଇଛି।
ଗତ ଅଢ଼େଇ ଦଶନ୍ଧିରେ HQ IDS ତିନି ସେନା ମଧ୍ୟରେ ସଂଯୁକ୍ତତା, ଏକୀକରଣ ଓ ସମନ୍ୱୟ ବଢ଼ାଇବାରେ ଏକ ପ୍ରମୁଖ ପ୍ରତିଷ୍ଠାନ ଭାବେ ବିକଶିତ ହୋଇଛି। ଜାତୀୟ ସୁରକ୍ଷା ଲକ୍ଷ୍ୟ ଅନୁଯାୟୀ ସାମରିକ କ୍ଷମତାକୁ ମଜବୁତ କରିବା ଏବଂ ଯୁଦ୍ଧ କ୍ଷମତାର ସମନ୍ୱିତ ବ୍ୟବହାର ଏହାର ମୁଖ୍ୟ ଉଦ୍ଦେଶ୍ୟ।
