*ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା*
ଭୁବନେଶ୍ୱର, ଅକ୍ଟୋବର ୩୧ :
ରାଜ୍ୟରେ ଆଗାମୀ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।
ରାଜୀବ ଭବନ ଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଶ୍ରୀ ରାଜେଶ ପ୍ରଭାକର ପାଟିଲ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଉପସ୍ଥିତିରେ ଆଗାମୀ ବାତ୍ୟା ପ୍ରସ୍ତୁତି ସମ୍ବନ୍ଧରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର,ମାଲକାନଗିରି ଓ କନ୍ଧମାଳ, ଖୋର୍ଦ୍ଧା,ପୁରୀ,ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଆସୁଥିବା ସମ୍ଭାବ୍ୟ ବର୍ଷା ତଥା ଘୂର୍ଣ୍ଣିବାତ୍ଯା ସମ୍ପର୍କରେ ଆଭାସୀ ମାଧ୍ୟମରେ ସୂଚନା ଦେଇଥିଲେ। ଆଗକୁ ଏ ସଂକ୍ରାନ୍ତରେ ଅଧିକ ସଠିକ୍ ଏବଂ ସୁବିସ୍ତୃତ ତଥ୍ୟ ମିଳିପାରିବ ବୋଲି ସେ କହିଥିଲେ।
ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି, ତଳିଆ ଓ ବନ୍ୟା ପ୍ରଭାବିତ ଅଞ୍ଚଳ, ନଦୀକୂଳିଆ ଗାଁ ଏବଂ କଚାଘରେ ରହୁଥିବା ଲୋକଙ୍କୁ ତୁରନ୍ତ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଏବଂ ଶିଶୁମାନଙ୍କୁ ପ୍ରାଥମିକତା ଆଧାରରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ସୁରକ୍ଷିତ ଆଶ୍ରୟସ୍ଥଳୀରେ ରଖାଯାଇଛି। ODRAF, NDRF ଏବଂ ଅଗ୍ନିଶମ ବାହିନୀକୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପ୍ରସ୍ତୁତ ରଖାଯାଇଛି।
ସମସ୍ତ ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ସ୍କୁଲ୍,ଛାତ୍ରାବାସ ଓ ମାଗଣା ରୋଷେଇ ଗୃହ (Free Kitchen) ମାଧ୍ୟମରେ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଶିଶୁମାନଙ୍କ ପାଇଁ କ୍ଷୀର ଏବଂ ଶିଶୁ ଆହାର ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାଙ୍କର ଏବଂ ୱାଟର ପାଉଚ୍ର ବ୍ୟବସ୍ଥା କରାଯାଇଛି। ନଳକୂପଗୁଡ଼ିକର ବିଶୋଧନ (Halogenation/Chlorination) ଏବଂ ଜଳ ପ୍ରଦୂଷଣ ରୋକିବା ପାଇଁ ବ୍ଲିଚିଂ ପାଉଡର ସିଞ୍ଚନ ବ୍ୟବସ୍ଥା କରାଯାଇଛି।
ବିଦ୍ୟୁତ୍ ଯୋଗାଣ (Electricity Restoration) ଏବଂ ତୁରନ୍ତ ମରାମତିକୁ ଗୁରୁତ୍ୱ ଦିଆଯାଇ ବାତ୍ୟା ଓ ବର୍ଷା ଯୋଗୁଁ ଭାଙ୍ଗିଯାଇଥିବା ବିଦ୍ୟୁତ୍ ଖୁଣ୍ଟ ଓ ତାରକୁ ତୁରନ୍ତ ମରାମତି କରି ବିଦ୍ୟୁତ୍ ସଂଯୋଗ ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ହସ୍ପିଟାଲ, ଡ୍ରିଙ୍କିଂ ୱାଟର ପ୍ରୋଜେକ୍ଟ ଏବଂ ଆଶ୍ରୟସ୍ଥଳୀଗୁଡ଼ିକରେ ଜେନେରେଟର (DG set) ମାଧ୍ୟମରେ ନିରନ୍ତର ବିଦ୍ୟୁତ୍ ଯୋଗାଣ ବଜାୟ ରଖିବାକୁ କୁହାଯାଇଛି।
ବନ୍ୟାଞ୍ଚଳରେ ଡାକ୍ତରୀ ଦଳ (Medical Teams) ଏବଂ ମୋବାଇଲ୍ ହେଲଥ୍ ୟୁନିଟ୍ ନିୟୋଜିତ କରାଯାଇଛି। ସାପ କାମୁଡ଼ା ପ୍ରତିଷେଧକ (Anti-snake venom), ଓଆରଏସ୍ (ORS) ପାଉଡର , ଝାଡ଼ାବାନ୍ତି ଓ ଚର୍ମରୋଗ ଔଷଧ ପର୍ଯ୍ୟାପ୍ତ ପରିମାଣରେ ସଂରକ୍ଷିତ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଜଳବାହିତ ରୋଗର ବ୍ୟାପିବା ରୋକିବା ପାଇଁ ଗାଁ ଓ ଆଶ୍ରୟସ୍ଥଳୀଗୁଡ଼ିକରେ ବ୍ଲିଚିଂ ପାଉଡର ଓ ଚୂନ ପକାଯାଉଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି। ଜିଲ୍ଲାପାଳ, ବିଡିଓ ଏବଂ ବରିଷ୍ଠ ଅଧିକାରୀମାନେ ନିଜେ ଫିଲ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ୨୪/୭ କଣ୍ଟ୍ରୋଲ ରୁମ୍ ସକ୍ରିୟ ରହିଛି ଏବଂ ସମସ୍ତ ପରିସ୍ଥିତି ଉପରେ ସିଧାସଳଖ ନଜର ରଖାଯାଉଛି।
ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଏବଂ ଗଞ୍ଜାମ ଜିଲ୍ଲା ପାଇଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ଏହାସହ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ । ସମୁଦ୍ର ଅଶାନ୍ତ ରହିବାର ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ କଡ଼ା ପରାମର୍ଶ ଦିଆଯାଇଛି।
ସମ୍ଭାବ୍ୟ ଜଳବନ୍ଦୀ ସ୍ଥିତି, ଭୂସ୍ଖଳନ (Landslide – ବିଶେଷକରି ପାହାଡ଼ିଆ ଅଞ୍ଚଳ ଯେପରିକି କୋରାପୁଟ, ରାୟଗଡ଼ା, ଗଜପତିରେ) ଏବଂ ତଳିଆ ଅଞ୍ଚଳରେ ଜଳ ଜମିବାକୁ ନେଇ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପ୍ରଶାସନ ଓ ଉଦ୍ଧାରକାରୀ ଦଳଙ୍କୁ ଆଲର୍ଟ ମୋଡ୍ରେ ରଖାଯାଇଛି।
