ସମ୍ଭାବ୍ୟ ବାତ୍ୟା ପ୍ରଭାବ: ଆସନ୍ତା ୨୮ ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ
ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଅର୍ଥାତ୍ ଅକ୍ଟୋବର ୨୮ ତାରିଖ ଦିନ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ଭୁବନେଶ୍ୱର ୟୁନିଟ୍-୨ ଅଶୋକ ନଗରସ୍ଥିତ କ୍ୟାପିଟାଲ ନର୍ସରୀ ନିକଟ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବସିବାର ଥିଲା। ତେବେ ପାଣିପାଗ ଜନିତ ସମ୍ଭାବ୍ୟ ବିପର୍ଯ୍ୟୟ କାରଣରୁ ଏହାକୁ ବାତିଲ କରାଯାଇଛି।
ଯେଉଁ ନାଗରିକମାନେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଅନଲାଇନ୍ ଯୋଗେ ଆଗୁଆ ପଞ୍ଜୀକରଣ କରିଥିଲେ, ସେମାନଙ୍କୁ ପରବର୍ତ୍ତୀ ଶୁଣାଣି ପାଇଁ ଆଉ ନୂତନ ଭାବେ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ପରବର୍ତ୍ତୀ ଶୁଣାଣିର ତାରିଖ ଓ ସମୟ ସମ୍ବାଦପତ୍ର ତଥା ଗଣମାଧ୍ୟମ ଜରିଆରେ ପରେ ଜଣାଇ ଦିଆଯିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି।
