*ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ମାଳରେ ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ*

ବରଗଡ:୦୯/୧୦(ପବିତ୍ର ମେହେର):ଜଙ୍ଗଲ ଗୁଡ଼ିକର ଦ୍ରୁତ ଅବକ୍ଷୟ ଯୋଗୁଁ ବନ୍ୟଜୀବମାନେ କ୍ରମଶଃ ଲୋପ ପାଇବାକୁ ବସିଲେଣି ଓ ବନ୍ୟଜୀବମାନଙ୍କ ବାସସ୍ଥଳୀ ଗୁଡିକର ଧ୍ୱଂସ ପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଜୈବ ବିବିଧତା ବିପନ୍ନ ହୋଇପଡ଼ିଛି।ଏହି ମର୍ମରେ ବନ୍ୟଜୀବ ଏବଂ ସେମାନଙ୍କ ପ୍ରାକୃତିକ ଆବାସସ୍ଥଳୀର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ଭଟଲି ବ୍ଲକ ଅଧୀନସ୍ଥ ବଡ଼ମାଳ ହାଇସ୍କୁଲ ପରିସରରେ ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ତଥା ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଦର୍ଶନିଆ ଭୋଇ,ମୁଖ୍ୟ ବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ ଡନସନା,ସମ୍ମାନିତ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ତେଜ ମେହେର,ଗୋପାଳପୁର ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଉଚ୍ଛବ ଭୁଏ,ବନପାଳ କଂଗ୍ରେସ ସୁନା,ବିଦ୍ୟାଳୟ କମିଟିର ଅଧ୍ୟକ୍ଷ ନରେନ୍ଦ୍ର ପଧାନ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଅତିଥିବୃନ୍ଦ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବିଘ୍ନ ବିନାଶକ ଶ୍ରୀ ଗଣେଶ ଓ ବାଗଦେବୀ ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରିବା ପରେ ପ୍ରଧାନଶିକ୍ଷକ ଶ୍ରୀ ଖମାରୀ ଅତିଥିମାନଙ୍କୁ ଫୁଲ ଚାରା ପ୍ରଦାନ କରି ସ୍ବାଗତ କରିଥିଲେ। ଇକୋ କ୍ଲବ୍ ଶିକ୍ଷୟିତ୍ରୀ ସୁଧାରାଣୀ ପ୍ରଧାନ ବନ୍ୟ ପ୍ରାଣୀ ସପ୍ତାହ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ବୈଠକରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ଛାତ୍ରଛାତ୍ରୀ ଓ ଜନ ସାଧାରଣଙ୍କ ଭୂମିକା ସମ୍ପର୍କରେ ଅତିଥିବୃନ୍ଦ ଆଲୋଚନା କରିଥିଲେ। ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ଛାତ୍ର ଆୟୁଷ ସାହୁ,ଛାତ୍ରୀ ସୁପ୍ରିୟା ନାଏକ ଓ ଛାତ୍ରୀ ପୂର୍ଣ୍ଣିମା ସା ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଅର୍ଚ୍ଚନା ପ୍ରଧାନ,ପଦ୍ମିନୀ ବିଶ୍ୱାଳ,ଶୀଲା ଭୋଇ,ସଂଯୁକ୍ତା ପ୍ରଧାନ,ଜ୍ୟୋତିର୍ମୟୀ ସାହୁ, ଅଞ୍ଜଳି ଗଣିତ,ଶିକ୍ଷକ ପ୍ରମୋଦ ପଟେଲ ଓ ଇକୋ କ୍ଲବ୍ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶିକ୍ଷକ ଅଗସ୍ତି ପ୍ରଧାନ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ମମତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
