ସାଉଥ୍ ବଲଣ୍ଡା ମା’ ଦୁର୍ଗାଙ୍କ ପୀଠରେ ମହାଅଷ୍ଟମୀ ଓ ସନ୍ଧିପୂଜା, ହଜାର ହଜାର ଭକ୍ତଙ୍କ ସମାଗମ

ତାଳଚେର, ସନାତନ କର: ଭକ୍ତିମୟ ପରିବେଶ ଓ ଆଧ୍ୟାତ୍ମିକ ଉତ୍ସାହ ମଧ୍ୟରେ ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡାସ୍ଥିତ ମା’ ଦୁର୍ଗାଙ୍କ ପୀଠରେ ମହାଆଡ଼ମ୍ବରରେ ପାଳିତ ହୋଇଛି ମହାଅଷ୍ଟମୀ ପୂଜା ଓ ପବିତ୍ର ସନ୍ଧିପୂଜା। ଏହି ଅବସରରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କର ପୂଜାବିଧି ସମ୍ପନ୍ନ ହୋଇଥିବାବେଳେ ଅନେକ ଭକ୍ତ ମହାଅଷ୍ଟମୀ ବ୍ରତ ପାଳନ କରିବା ସହ ସନ୍ଧିପୂଜାରେ ସାମିଲ ହୋଇଥିଲେ। ମା’ଙ୍କ ଦର୍ଶନ କରି ଶ୍ରଦ୍ଧାଳୁମାନେ ନିଜ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ପୂଜା ସମୟରେ ସମଗ୍ର ପୀଠରେ ଭକ୍ତି ଓ ଶ୍ରଦ୍ଧାର ମାହୋଲ ସୃଷ୍ଟି ହୋଇଥିଲା।
ସାଉଥ୍ ବଲଣ୍ଡାର ମା’ ଦୁର୍ଗାଙ୍କ ପୀଠ ପ୍ରତି ଅଞ୍ଚଳବାସୀଙ୍କ ଗଭୀର ଆସ୍ଥା ରହିଛି। ମା’ଙ୍କ ନିକଟରେ ଯେଉଁ ଭକ୍ତ ନିଷ୍ଠାର ସହ ମାନସିକ କରନ୍ତି, ମା’ଙ୍କ କୃପାରୁ ସେମାନଙ୍କ ମନୋକାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ରହିଛି। ଏହି ଆସ୍ଥା ଓ ବିଶ୍ୱାସ ଯୋଗୁଁ ପ୍ରତିବର୍ଷ ମା’ଙ୍କ ପୀଠକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ।

ମହାଅଷ୍ଟମୀ ଓ ସନ୍ଧିପୂଜା ଅବସରରେ ମା’ଙ୍କ ପୀଠରେ ଦେଖିବାକୁ ମିଳିଥିଲା ଅପୂର୍ବ ଭକ୍ତିଭାବ ଓ ଆଧ୍ୟାତ୍ମିକ ପରିବେଶ।
ରିପୋର୍ଟ: ସନାତନ କର, ତାଳଚେର ଜାଗ୍ରତ ଭାରତ ନ୍ୟୁଜ୍
