Spread the love

୭ ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଗଣଧାରଣା

ତାଳଚେର, ୦୯/୧୦ ତାଳଚେର ରେଳ ଷ୍ଟେସନ ଠାରେ ରେଲୱେ ୟୁଜର୍ସ କମିଟି ପକ୍ଷରୁ ୭ ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି । ଶୁକ୍ରବାର ସକାଳ ୬ ଘଟିକା ଠାରୁ ଆରମ୍ଭ ହୋଇଥିବା ଏହି ଗଣଧାରଣା ଲିଖିତ ପ୍ରତିଶୃତି ନମିଳିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କମିଟିର ସଭାପତି ଅଭୟ ପାଣି ସୂଚନା ଦେଇଛନ୍ତି । ତାଳଚେର ଷ୍ଟେସନକୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଆସିବା, ତାଳଚେର ଷ୍ଟେସନ ଠାରୁ ଅନୁଗୋଳ ଷ୍ଟେସନ ପର୍ଯ୍ୟନ୍ତ ୱାଇ ସଂଯୋଗୀକରଣ (ଲୁପ୍ ଲାଇନ୍‌) କାର୍ଯ୍ୟକୁ ଶୀଘ୍ର କାର୍ଯ୍ୟକାରୀ କରିବା, ହାଣ୍ଡିଧୂଆ ଛକ-ବନ୍ତୋଲ ଛକ-ହାଟତୋଟା ରୋଡ୍‌-ଥର୍ମାଲ୍‌-ବାଙ୍କଧରା ଛକ-ସାଉଥ୍ ବଲଣ୍ଡା ପ୍ରଭୃତି ସ୍ଥାନ ମାନଙ୍କରେ ଥିବା ରେଲୱେ କ୍ରସିଂ ଗୁଡିକରେ ଓଭରବ୍ରିଜ୍ ନିର୍ମାଣ, ପୁରୀରୁ ତାଳଚେରକୁ ଆସୁଥିବା ମେମୋ ପାସେଞ୍ଜର ଟ୍ରେନ୍ କୁ କଣିହାଁ ପର୍ଯ୍ୟନ୍ତ ସଂପ୍ରସାରଣ, ପୁରୀରୁ ଅନୁଗୋଳ ଆସୁଥିବା ମେମୋ ପାସେଞ୍ଜର ଟ୍ରେନ୍ ତାଳଚେର ଷ୍ଟେସନ ରେ ପହଂଚିବାର ନିର୍ଦ୍ଧାରିତ ସମୟ ଘ.୮.୨୪ମି. ଥିବାବେଳେ ଏହା ରାତ୍ରୀ ପ୍ରାୟ ୧୧ ଘଟିକା ପରେ ପହଂଚୁଛି ତାହାକୁ ସଠିକ୍ ସମୟ ମଧ୍ୟରେ ପହଂଚିବାର ବ୍ୟବସ୍ଥା କରାଯାଉ, ତାଳଚେର ଷ୍ଟେସନରୁ ଯାଉଥିବା ଟ୍ରେନ୍ ଗୁଡିକରେ ଓ ତାଳଚେର ଷ୍ଟେସନ ମଧ୍ୟରେ ଥିବା ପାନୀୟ ଜଳ ସୁବ୍ୟବସ୍ଥା ସହ ପାଇଖାନା ଓ ଅନ୍ୟାନ୍ୟ ଅଂଚଳ ସଫା ସୁତୁରା ସହ ଯାତ୍ରୀଙ୍କ ସୁରକ୍ଷା ବନ୍ତୋବସ୍ତ କରାଯାଉ ଏବଂ ସମସ୍ତ କୋଇଲା ବୋଝେଇ ଟ୍ରେନ୍ ଗୁଡିକରେ ପାଲ ଭିଡିବା ପାଇଁ ବ୍ୟବସ୍ଥା କରି ତାଳଚେରକୁ ପ୍ରଦୂଷଣ ମୁକ୍ତ କରାଯାଉ ଇତ୍ୟାଦି ଦାବୀ କରାଯାଇଛି । ମଧ୍ୟାହ୍ନରେ ତାଳଚେର ରେଳ ଷ୍ଟେସନର ଏଆରଏମ୍ ଗଣଧାରଣା ସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରିବର୍ତେ ଅମାନବିକତା ବ୍ୟବହାର ପ୍ରଦର୍ଶନ କରି ସେଠାରୁ ଚାଲି ଯାଇଥିଲେ । ଯାହାକି ଗଣଧାରଣା ସ୍ଥଳରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକ ମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । କମିଟିର ସଭାପତି ଅଭୟ ପାଣିଙ୍କ ନେତୃତ୍ୱରେ ଆଜିର ଏହି ଗଣଧାରଣାରେ ସାଧାରଣ ସଂପାଦକ ସନ୍ତୋଷ କୁମାର ଦେହୁରୀ, ଉପସଭାପତି ସୁଲେଖ ସେଠୀ, ଦୋଳ ଗୋବିନ୍ଦ ସାହୁ, ଦିଗାମ୍ବର ଗଡନାୟକ, ରାଜ କିଶୋର ସାହୁ, ଶରତ ଦାସ, ଭୂପେନ୍ ଥମ୍ବ, ଶୋଭାଗିନୀ ଦେବୀ, ଗଗନ ଦାସ, ସୁକାନ୍ତ ଦାସ, ବିଷ୍ଣୁପ୍ରିୟା ପଣ୍ଡା, ବାପି ମହାନ୍ତିଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *