ଅତାବିରା ଫଟୋଗ୍ରାଫର ଏସୋସିଏସନ୍ ର ୧୮ତମ ବାର୍ଷିକୋତ୍ସବ ତଥା ନୂଆଁଖାଇ ଭେଟଘାଟ
ବରଗଡ :- ବରଗଡ଼ ଜିଲ୍ଲା ଅତାବିରା ଫଟୋଗ୍ରାଫର ଏସୋସିଏସନ୍ ର ୧୮ତମ ବାର୍ଷିକୋତ୍ସବ ତଥା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଲାଦେରପାଲି ସ୍ଥିତ ରାମଚଣ୍ଡୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅତାବିରା ଫୋଟୋଗ୍ରାଫର ସଂଘର ସଭାପତି ସଞ୍ଜୟ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁସୁମ ଗ୍ରୁପ୍ କଟକର ନିର୍ଦ୍ଦେଶକ ଅବିନାଶ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ବଲପୁରୀ ଲୋକଗୀତ ଗାୟକ ବିଭୁତି ଭୁଷଣ ପଟ୍ଟନାୟକ,ପିଏମ୍ଓ ର ଯୁଗ୍ମ ସମ୍ପାଦକ ସୁଜିତ ସାହୁ, ବିଶିଷ୍ଟ ଓଡିଆ ସିନେ ଅଭିନେତା ପୃଥ୍ୱୀରାଜ ନାଏକ, ଅତାବିରା ଫୋଟୋଗ୍ରାଫର ସଂଘର ସମ୍ପାଦକ ସୁଦାମ ଚରଣ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରଥମେ ଅତିଥିମାନଙ୍କ ଦ୍ବାରା ବିଘ୍ନ ବିନାଶକ ଗଣେଶ ଓ ମାଁ ସମଲେଶ୍ଵରୀ ଙ୍କ ପୂଜାର୍ଚ୍ଚନା କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଫଟୋଗ୍ରାଫର ଏସୋସିଏସନ୍ ଅତାବିରା ର ଦିବଙ୍ଗତ ଫଟୋଗ୍ରାଫର୍ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଓଡ଼ିଶା ଫଟୋଗ୍ରାଫର୍ ଆସୋସିଏସନ୍ ତଥା ଅତାବିରା ଫଟୋଗ୍ରାଫର୍ ମହାସଂଘ ଓଡ଼ିଶା ସଭାପତି ସଞ୍ଜୟ ରଥ ବର୍ତ୍ତମାନ ସମୟରେ ଫଟୋଗ୍ରାଫି ଓ ଫଟୋଗ୍ରାଫର୍ ର ଅବଦାନ ଓ ମହତ୍ତ୍ଵ ଉପରେ ଆଲୋକପାତ କରିବା ସହ ସମସ୍ତ ଫଟୋଗ୍ରାଫର୍ ମିଳିମିଶି କାମ କରିବାକୁ ଅନୁରୋଧ କରିଥିଲେ।
ଏହି ଅବସରରେ ବିଶିଷ୍ଟ ଓଡିଆ ସିନେ ଅଭିନେତା ପୃଥ୍ୱୀରାଜ ନାଏକ ଏବଂ ସମ୍ବଲପୁରୀ ଲୋକଗୀତ ଗାୟକ ବିଭୁତି ଭୁଷଣ ପଟ୍ଟନାୟକଙ୍କୁ କୋଶଳ ଶ୍ରୀ ସମ୍ମାନ ଓ ବରିଷ୍ଠ ଫଟୋଗ୍ରାଫର ଅଭୟ ଚରଣ ହୋତାଙ୍କୁ ଇନ୍ଦ୍ରଧନୁ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲା ଓ ବ୍ଳକ ସ୍ତରୀୟ ଫଟୋଗ୍ରାଫର୍ ସଂଘ ମାନଙ୍କୁ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା। ନିରଞ୍ଜନ ପସାଏତ ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ସଂପାଦକ ସୁଦାମ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ବଳରାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
