Spread the love

# ଓଡ଼ିଶାରେ ୩୫୮ଟି ଅପ୍ରଚଳିତ ଆଇନ ଉଚ୍ଛେଦ ପାଇଁ ସରକାରଙ୍କ ପ୍ରସ୍ତାବ
### ଆଇନ ପୁସ୍ତକରୁ ହଟିବ ଦଶନ୍ଧି ପୁରୁଣା ସଂଶୋଧନକାରୀ ଆଇନ; ମୂଳ ଆଇନ ଉପରେ ପଡ଼ିବନି ପ୍ରଭାବ

**ଭୁବନେଶ୍ୱର, ୨୩/୧୧:** ରାଜ୍ୟର ଆଇନ ବ୍ୟବସ୍ଥାକୁ ଅଧିକ ସରଳ, ସୁସଂଗଠିତ ଓ ସମୟୋପଯୋଗୀ କରିବା ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘବର୍ଷ ଧରି ଆଇନ ପୁସ୍ତକରେ ରହିଥିଲେ ମଧ୍ୟ ବର୍ତ୍ତମାନ ଆଉ କୌଣସି ସ୍ୱତନ୍ତ୍ର ଉପଯୋଗିତା ନଥିବା ୩୫୮ଟି ସଂଶୋଧନକାରୀ ଆଇନକୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବ ରଖାଯାଇଛି।

୧୯୭୪ରୁ ୨୦୨୫ ମଧ୍ୟରେ ପ୍ରଣୟନ ହୋଇଥିବା ଏହି ଆଇନଗୁଡ଼ିକ ସମୟକ୍ରମେ ନିଜର ପ୍ରାସଙ୍ଗିକତା ହରାଇଥିବାରୁ ଏଗୁଡ଼ିକୁ ଆଇନ ପୁସ୍ତକ (Statute Book) ରୁ ହଟାଇବା ପାଇଁ ସରକାର ବିଚାର କରୁଛନ୍ତି।

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଆଇନ ବିଭାଗ ପକ୍ଷରୁ ମୋଟ ୪୧୮ଟି ଅପ୍ରଚଳିତ ଓ ଅନାବଶ୍ୟକ ସଂଶୋଧନକାରୀ ଆଇନ ଚିହ୍ନଟ କରାଯାଇଥିଲା। ଏହା ପରେ ସମ୍ପୃକ୍ତ ସରକାରୀ ବିଭାଗଗୁଡ଼ିକଠାରୁ ୧୫ ଦିନ ମଧ୍ୟରେ ମତାମତ ଲୋଡ଼ାଯାଇଥିଲା।

ବିଭାଗୀୟ ମତାମତ ଓ ସମୀକ୍ଷା ପରେ ଏହି ପ୍ରସ୍ତାବକୁ ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ନିକଟକୁ ପଠାଯାଇଥିଲା। ଆଇନ ଆୟୋଗ ୨୦୨୬ ଏପ୍ରିଲ ୬ ଓ ଏପ୍ରିଲ ୩୦ ତାରିଖରେ ଦାଖଲ କରିଥିବା ପ୍ରତିବେଦନରେ ୩୫୮ଟି ଆଇନକୁ ଉଚ୍ଛେଦ କରିବାକୁ ସୁପାରିଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ରାଜ୍ୟ ସରକାର ୧୯୩୭ରୁ ୨୦୨୦ ମଧ୍ୟରେ ପ୍ରଣୀତ ବିଭିନ୍ନ ଅପ୍ରଚଳିତ ଆଇନକୁ ହଟାଇବା ପାଇଁ ୧୯୪୮, ୧୯୭୬ ଓ ୨୦୨୦ ମସିହାରେ ଓଡ଼ିଶା ରିପିଲିଂ ଆକ୍ଟ ପ୍ରଣୟନ କରିଥିଲେ।

**ମୂଳ ଆଇନ ଉପରେ ପଡ଼ିବନି ପ୍ରଭାବ**

ଏହି ପ୍ରସ୍ତାବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ସଂଶୋଧନକାରୀ ଆଇନଗୁଡ଼ିକୁ ଉଚ୍ଛେଦ କରାଗଲେ ମଧ୍ୟ ସେଗୁଡ଼ିକ ଦ୍ୱାରା ମୂଳ ଆଇନରେ କରାଯାଇଥିବା ସଂଶୋଧନ ବଳବତ୍ତର ରହିବ। କାରଣ, ଥରେ କୌଣସି ସଂଶୋଧନକାରୀ ଆଇନ ମୂଳ ଆଇନରେ ସାମିଲ ହୋଇଗଲେ ଏହାର ସ୍ୱତନ୍ତ୍ର ଆବଶ୍ୟକତା ଆଉ ରହେ ନାହିଁ।

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୪୬ ଅନୁଯାୟୀ ରାଜ୍ୟ ବିଧାନସଭାକୁ ନିଜ କ୍ଷମତା ପରିସରରେ ଆଇନ ପ୍ରଣୟନ ଓ ସଂଶୋଧନ କରିବାର ଅଧିକାର ରହିଛି। ସେହିପରି ଓଡ଼ିଶା ଜେନେରାଲ୍ କ୍ଲଜ୍ ଆକ୍ଟ, ୧୯୩୭ର ଧାରା ୭ ଅନୁଯାୟୀ, ସଂଶୋଧନକାରୀ ଆଇନଗୁଡ଼ିକୁ ରଦ୍ଦ କରାଗଲେ ମଧ୍ୟ ମୂଳ ଆଇନରେ ପୂର୍ବରୁ ସାମିଲ ହୋଇଥିବା ସଂଶୋଧନ ଅକ୍ଷୁଣ୍ଣ ରହିବ।

ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଆଇନ ପୁସ୍ତକରୁ ଅନାବଶ୍ୟକ ଆଇନଗତ ବୋଝ ହ୍ରାସ ପାଇବା ସହ ଆଇନ ବ୍ୟବସ୍ଥାକୁ ଅଧିକ ସ୍ପଷ୍ଟ ଓ ସରଳ କରିବାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

You missed