Spread the love

# ଖରିଫ ଧାନ ସଂଗ୍ରହ ପାଇଁ ନୂଆ ନୀତି: ୭୮ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବେ ସରକାର, କ୍ୱିଣ୍ଟାଲ ପିଛା ମିଳିବ ୩,୧୦୦ ଟଙ୍କା

**ଭୁବନେଶ୍ୱର, ୧୦/୧୧:** ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ଓ ଧାନ ସଂଗ୍ରହ ପ୍ରକ୍ରିୟାରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଖରିଫ ବିପଣନ ଋତୁ (KMS) ୨୦୨୬-୨୭ ପାଇଁ ନୂଆ ଧାନ ସଂଗ୍ରହ ନୀତି ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଏହି ନୀତିରେ ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ, ଡିଜିଟାଲ୍ ବ୍ୟବସ୍ଥାରେ ପଞ୍ଜୀକରଣ, ଶୀଘ୍ର ଟଙ୍କା ପୈଠ ଏବଂ ଧାନ ସଂଗ୍ରହରେ ଅନିୟମିତତା ରୋକିବା ଉପରେ ବିଶେଷ ଫୋକସ୍ କରାଯାଇଛି।

ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ, ଚଳିତ ଖରିଫ ଋତୁରେ ପ୍ରାୟ ୭୮ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ। ଏଥିରୁ ୫୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ମିଳିବା ଲକ୍ଷ୍ୟ ରଖାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ସହ ଇନପୁଟ୍ ସହାୟତାକୁ ମିଶାଇ ଚାଷୀମାନେ କ୍ୱିଣ୍ଟାଲ ପିଛା ମୋଟ ୩,୧୦୦ ଟଙ୍କା ପାଇବେ।

**୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତାକୁ ଟଙ୍କା**

ଧାନ ବିକ୍ରି ପରେ ଚାଷୀଙ୍କୁ ଟଙ୍କା ପାଇବା ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଧାନ କିଣିବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ NPCI ମାଧ୍ୟମରେ ଚାଷୀଙ୍କ ଆଧାର ସଂଯୋଗୀକୃତ ବ୍ୟାଙ୍କ ଖାତାକୁ MSP ଅର୍ଥ ସିଧାସଳଖ ପଠାଯିବ। ଏହାଦ୍ୱାରା ଅର୍ଥ ପୈଠ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବା ସହ ଚାଷୀଙ୍କ ହଇରାଣ କମିବ।

**ଉପଗ୍ରହ ଚିତ୍ରରେ ଯାଞ୍ଚ ହେବ ଧାନ ଚାଷ ଜମି**

ଧାନ ସଂଗ୍ରହରେ ଜାଲିଆତି ଓ ଅନିୟମିତତା ରୋକିବାକୁ ଏଥର ଡିଜିଟାଲ୍ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ହେବ। P-PAS, ଆଧାର e-KYC, ଭୂଲେଖ ଏବଂ NPCIକୁ ପରସ୍ପର ସହ ସଂଯୋଗ କରାଯିବ। ପଞ୍ଜୀକୃତ ଜମିର ବିବରଣୀ ସହ ପ୍ରକୃତ ଧାନ ଚାଷ ଜମିର ମେଳ ଯାଞ୍ଚ କରିବାକୁ ଉପଗ୍ରହ ଚିତ୍ର ମାଧ୍ୟମରେ ଶତପ୍ରତିଶତ କ୍ଷେତ୍ରସ୍ତରୀୟ ଯାଞ୍ଚ କରାଯିବ। ଏହା ସହ ଡିଜିଟାଲ୍ କ୍ରପ୍ ସର୍ଭେ (DCS) ତଥ୍ୟକୁ ଦ୍ୱିତୀୟ ସ୍ତରର ଯାଞ୍ଚ ଭାବେ ବ୍ୟବହାର କରାଯିବ।

**ଭାଗଚାଷୀଙ୍କୁ ମିଳିବ ପଞ୍ଜୀକରଣ ସୁଯୋଗ**

ନୂଆ ନୀତିରେ ଯୋଗ୍ୟ ଭାଗଚାଷୀଙ୍କୁ ମଧ୍ୟ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ କରାଯାଇଛି। ଜମି ମାଲିକଙ୍କ ଡିଜିଟାଲ୍ ସମ୍ମତି ଏବଂ ବାୟୋମେଟ୍ରିକ୍ କିମ୍ବା ମୋବାଇଲ୍ ପ୍ରମାଣୀକରଣ ମାଧ୍ୟମରେ ଯୋଗ୍ୟ ଭାଗଚାଷୀମାନେ ପଞ୍ଜୀକରଣ କରିପାରିବେ।

**PPCରେ ଚାଷୀଙ୍କ ପାଇଁ ଅଧିକ ସୁବିଧା**

PACS, LAMPCS ଏବଂ ପାଣି ପଞ୍ଚାୟତ ଜରିଆରେ ଧାନ କ୍ରୟ କେନ୍ଦ୍ର (PPC) ପରିଚାଳନା କରାଯିବ। ଚାଷୀମାନେ କେବେ ଏବଂ କେତେ ପରିମାଣର ଧାନ ବିକ୍ରି କରିବେ, ସେ ସମ୍ପର୍କରେ ଆଗୁଆ ଓଡ଼ିଆ SMS ମାଧ୍ୟମରେ ସୂଚନା ପାଇବେ।

୫,୦୦୦ ମେଟ୍ରିକ ଟନ୍‌ରୁ ଅଧିକ କ୍ଷମତା ଥିବା PPCଗୁଡ଼ିକରେ ଧାନର ଗୁଣବତ୍ତା ଯାଞ୍ଚ ପାଇଁ FAQ ପରୀକ୍ଷଣ ସହ AI ଆଧାରିତ ଶସ୍ୟ ବିଶ୍ଳେଷକ ବ୍ୟବହାର କରାଯିବ। ଏହା ସହ CCTV ଏବଂ ଲାଇଭ୍ ମନିଟରିଂ ବ୍ୟବସ୍ଥା ରହିବ।

**ପରିବହନ ଓ ମିଲିଂ ବ୍ୟବସ୍ଥାରେ ହେବ ସୁଧାର**

ଧାନ ସଂଗ୍ରହ ପରେ ଚାଉଳ ପ୍ରସ୍ତୁତି ଓ ପରିବହନ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବାକୁ ମିଲ୍ ଟ୍ୟାଗିଂ ଏବଂ MMDF/ରୁଟ୍ ଅପ୍ଟିମାଇଜେସନ୍ ବ୍ୟବସ୍ଥା ଲାଗୁ ହେବ। ଏହାଦ୍ୱାରା ନିର୍ଦ୍ଧାରିତ ସମୟରେ ମିଲିଂ ସମ୍ପନ୍ନ କରିବା ସହ ପରିବହନ ଖର୍ଚ୍ଚ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି।

**ଅଭିଯୋଗ ପାଇଁ ଟୋଲ୍-ଫ୍ରି ନମ୍ବର ୧୯୬୭**

ଚାଷୀଙ୍କ ସମସ୍ୟା ଓ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଜିଲ୍ଲାସ୍ତରରେ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ ରହିବ। ଏଥିସହ ଟୋଲ୍-ଫ୍ରି ନମ୍ବର ୧୯୬୭ ମାଧ୍ୟମରେ ଚାଷୀମାନେ ନିଜ ଅଭିଯୋଗ ଜଣାଇପାରିବେ। ଅନ୍ୟ ରାଜ୍ୟରୁ ବେଆଇନ ଭାବେ ଧାନ ଆଣିବା ରୋକିବାକୁ ସୀମାନ୍ତ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥା ସହ CCTV ନଜରଦାରି କରାଯିବ।

ସରକାରଙ୍କ ଘୋଷିତ ସମୟସୂଚୀ ଅନୁଯାୟୀ, ଖରିଫ ଧାନ ସଂଗ୍ରହ ୨୦୨୬ ନଭେମ୍ବର ୧ରୁ ଆରମ୍ଭ ହୋଇ ୨୦୨୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ।

ସରକାରଙ୍କ କହିବା ଅନୁଯାୟୀ, ଏହି ନୀତିର ମୂଳ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ନିଜର ବଳକା ଧାନ MSPରେ ବିକ୍ରି କରିବାର ସୁଯୋଗ ଦେବା ଏବଂ ଠିକ୍ ସମୟରେ ତାଙ୍କ ପ୍ରାପ୍ୟ ପ୍ରଦାନ କରିବା। ଏଥିସହ ଜନବିତରଣ ବ୍ୟବସ୍ଥା (PDS), ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA), ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ପାଇଁ ଆବଶ୍ୟକ ଚାଉଳ ଯୋଗାଣ ଅବ୍ୟାହତ ରହିବ। ଅବଶିଷ୍ଟ ବଳକା ଚାଉଳ କେନ୍ଦ୍ରୀୟ ଖାଦ୍ୟ ଭଣ୍ଡାର (Central Pool) ପାଇଁ ଭାରତୀୟ ଖାଦ୍ୟ ନିଗମ (FCI)କୁ ହସ୍ତାନ୍ତର କରାଯିବ।

ନୂଆ ନୀତି ଧାନ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ଡିଜିଟାଲ୍, ସ୍ୱଚ୍ଛ ଓ ଚାଷୀ-ଅନୁକୂଳ କରିବା ସହ ରାଜ୍ୟର କୃଷକମାନଙ୍କୁ ଆର୍ଥିକ ଭାବେ ଅଧିକ ସୁରକ୍ଷା ଦେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *