ଜିଲ୍ଲାସ୍ତରୀୟ ‘ଉତ୍ସାହ ଓ ମହକ-୨୦୨୬’ ଅନୁଷ୍ଠିତ

ଅନୁଗୋଳ, ୧୭.୧୦: ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଏବଂ ସେମାନଙ୍କୁ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ‘ଉତ୍ସାହ ଓ ମହକ-୨୦୨୬’ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ବ୍ଲାକ ଡାଇମଣ୍ଡଠାରେ
ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀମତୀ ମଧୁସ୍ମିତା ନାୟକ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକ ଏବଂ ସମାଜ ମଙ୍ଗଳ ସୁରକ୍ଷା ଅଧିକାରୀ ଶ୍ରୀ ରୁନୁ ପ୍ରଧାନ ଉପସ୍ଥିତ ଥିଲେ। ଏହି ଅବସରରେ କ୍ୟାରମ୍, ଚେସ୍, ଫୁଟବଲ, ୧୦୦ ଓ ୨୦୦ ମିଟର ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ, ବକ୍ତୃତା, ଚିତ୍ରାଙ୍କନ, କୁଇଜ୍, ଦଳଗତ ନୃତ୍ୟ, ଏକକ ସଙ୍ଗୀତ ଏବଂ ଟ୍ୟାଲେଣ୍ଟ ହଣ୍ଟ୍ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଅତିଥିମାନେ କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର (ସାର୍ଟିଫିକେଟ) ପ୍ରଦାନ କରି ପୁରସ୍କୃତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ଯଥା— ଉତ୍କଳ ବାଳାଶ୍ରମ , ଆଦୃତ ଶିଶୁ ସଦନ ଏବଂ ଆଠମଲ୍ଲିକ ବାଳାଶ୍ରମର ଶିଶୁମାନଙ୍କ ସହ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରୀ ସଚିନ ମାଝୀ ଓ ଶ୍ରୀ ଛଇଳ ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ LPO ଶ୍ରୀ ପ୍ରଦୀପ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

