ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ଜିତ ଦାସ: ନଗଦ ୨୧.୮୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ଗିରଫ ପରେ କୋର୍ଟ ଚାଲାଣ
ଭୁବନେଶ୍ୱର: ଠିକାଦାରଙ୍କ ଠାରୁ ଲାଞ୍ଚ ଟଙ୍କା ନେଇ ଯାଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମହାନଦୀ ଉତ୍ତର ଡିଭିଜନ (ଜଗତପୁର, କଟକ)ର ଅଧୀକ୍ଷଣ ଯନ୍ତ୍ରୀ (ଏସ୍ଇ) ପ୍ରସନ୍ଜିତ ଦାସ। ତାଙ୍କ ନିକଟରୁ ତଥା ତାଙ୍କ ଭଡ଼ା ଘରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ କରାଯିବା ପରେ ଆଜି ତାଙ୍କୁ ଗିରଫ କରି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା (କେସ୍ ନଂ-୨୪, ତା ୧୬.୧୦.୨୦୨୬) ରୁଜୁ ହୋଇଛି।
ଏଜି ଛକ ନିକଟରେ ଧରିଲା ଭିଜିଲାନ୍ସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ ଟିମ୍ ଶ୍ରୀ ଦାସଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲା। ଗତକାଲି ରାତିରେ ସେ ଏକ ଭଡ଼ା ବୋଲେରୋ ଗାଡ଼ି (OD05-BS-2676) ଯୋଗେ ଯାଉଥିବା ସମୟରେ ଭୁବନେଶ୍ୱର ଏଜି ଛକ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ତାଙ୍କ ନିକଟରୁ ସନ୍ଦିଗ୍ଧ ବେଆଇନ ନଗଦ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ମିଳିଥିଲା। ଏହି ଟଙ୍କାର କୌଣସି ସନ୍ତୋଷଜନକ ହିସାବ ସେ ଦେଇପାରି ନ ଥିବାରୁ ଉକ୍ତ ଟଙ୍କା ସହ ବୋଲେରୋ ଗାଡ଼ିଟିକୁ ଜବତ କରାଯାଇଥିଲା।
ଘର ତଲାସି ବେଳେ ଆଉ ୧୪.୬୦ ଲକ୍ଷ ଟଙ୍କା ଠାବ ଏହା ପରେ ତୁରନ୍ତ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ଘାଟିକିଆ ସ୍ଥିତ ‘ଟ୍ରାଇଡେଣ୍ଟ ଗାଲାକ୍ସି’ ଆପାର୍ଟମେଣ୍ଟର ଫ୍ଲାଟ ନଂ D-401 ଏବଂ ବରଗଡ଼ ଜିଲ୍ଲାରେ ଥିବା ତାଙ୍କ ପୈତୃକ ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଟ୍ରାଇଡେଣ୍ଟ ଗାଲାକ୍ସି ସ୍ଥିତ ଭଡ଼ା ଫ୍ଲାଟରୁ ଆଉ ନଗଦ ୧୪ ଲକ୍ଷ ୬୦ ହଜାର ଟଙ୍କା ଠାବ ହୋଇଥିଲା। ଫଳରେ ସମୁଦାୟ ଜବତ ନଗଦ ଟଙ୍କାର ପରିମାଣ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାରେ ପହଞ୍ଚିଛି।
ଚାକିରି କାଳ ଓ ପଦବୀ ଶ୍ରୀ ଦାସ ୨୦୧୬ ମସିହାରେ ଜଳସମ୍ପଦ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଭାବେ ପ୍ରାୟ ୨୫,୦୦୦ ଟଙ୍କାର ମାସିକ ବେତନରେ ସରକାରୀ ଚାକିରି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ବରଗଡ଼ କେନାଲ ସବ୍-ଡିଭିଜନ ଏବଂ ବିଜେପୁର ସ୍ଥିତ ଗଙ୍ଗାଧର ମେହେର ଉଠାଜଳସେଚନ ଡିଭିଜନ-୧ ରେ ନିର୍ବାହୀ ଯନ୍ତ୍ରୀ (EE) ଭାବେ କାର୍ଯ୍ୟ କରିଥିଲେ। ଚଳିତ ବର୍ଷ ଜୁନ୍ ମାସରେ ପଦୋନ୍ନତି ପାଇ ସେ କଟକ ଜଗତପୁରସ୍ଥିତ ମହାନଦୀ ଉତ୍ତର ଡିଭିଜନରେ ଅଧୀକ୍ଷଣ ଯନ୍ତ୍ରୀ (SE) ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।
ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
