Spread the love

.ଜିଲ୍ଲାସ୍ତରୀୟ ‘କୋଟିଏ ହସ’ କାର୍ଯ୍ୟକ୍ରମ-୨୦୨୬ ଅନୁଷ୍ଠିତ

ଭବାନୀପାଟଣା(ଜାଗ୍ରତ ଭାରତ)କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଗ୍ରାମୀଣ ପ୍ରକଳ୍ପ ଅନ୍ତର୍ଗତ ଅଟାଙ୍ଗଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ‘କୋଟିଏ ହସ’ କାର୍ଯ୍ୟକ୍ରମ-୨୦୨୬ ଆୟୋଜିତ ହୋଇଯାଇଛି। ଏହି ବର୍ଷର ମୁଖ୍ୟ ବାର୍ତ୍ତା “ଆମ ପିଲା, ଆମ ଖୁସି, ଆମ ଯତ୍ନ” ରହିଥିଲା।

ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମୁଜିବୁନ୍ ନିଶା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦୁଆରସୁନି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ କୈଳାଶ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ PO-cum-PO, PO, ସମସ୍ତ ୧୪ଟି ପ୍ରକଳ୍ପର CDPO, ୧୪ ଜଣ ମହିଳା ପରିଦର୍ଶିକା, ୧୫ ଜଣ ଅଙ୍ଗନବାଡ଼ି କର୍ମୀ, ୧୫ ଜଣ ପିତା ଏବଂ ୧୫ ଜଣ ୩-୬ ବର୍ଷ ବୟସର ଶିଶୁ ଯୋଗଦେଇଥିଲେ। ଏଥିସହ ଅଟାଙ୍ଗଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ ଶିଶୁ ଓ ହିତାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ଶିଶୁ କଲ୍ୟାଣ ସମିତିର ସଦସ୍ୟ ଶ୍ରୀ ବିଶ୍ୱନାଥ ଦାସ ମଧ୍ୟ ଯୋଗଦେଇଥିଲେ। ସେ ‘କୋଟିଏ ହସ’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ଶିଶୁମାନଙ୍କ ସୁରକ୍ଷା, ଯତ୍ନ, ପୋଷଣ, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶ ପାଇଁ ପରିବାର ତଥା ସମାଜର ସକ୍ରିୟ ସହଯୋଗ ଓ ଭାଗୀଦାରିର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ପିତାମାନଙ୍କ ଦ୍ୱାରା ନିର୍ମିତ DIY ଖେଳନା ପ୍ରଦର୍ଶନୀ ସହିତ ଶିଶୁମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଶିଶୁମାନଙ୍କ ସୃଜନଶୀଳତା, ପ୍ରତିଭା ଓ ଆନନ୍ଦମୟ ଶୈଶବକୁ ଉତ୍ସାହିତ କରିବା ସହ ପିଲାମାନଙ୍କ ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷାରେ ପିତାମାତାଙ୍କ ସକ୍ରିୟ ଭାଗୀଦାରିର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ଖେଳନା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ୧୫ ଜଣ ପିତା, ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଭାଗନେଇଥିବା ୧୫ ଜଣ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ୧୫ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ଓ ଅଂଶଗ୍ରହଣ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା DC-Poshan ଶ୍ରୀ ଅଜୟ ବିହାର କରିଥିବା ବେଳେ PO ଶ୍ରୀମତୀ ସନ୍ଧ୍ୟା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ଖୁସି, ସୁସ୍ଥତା, ସୃଜନଶୀଳତା ଏବଂ ସାମଗ୍ରିକ ବିକାଶରେ ପରିବାର, ଅଙ୍ଗନବାଡ଼ି କର୍ମୀ ଓ ସମାଜର ସମୂହ ଭାଗୀଦାରିର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *