Spread the love

ଡାକ୍ତର ନଥିବାରୁ କେନାଢିପା ସ୍ୱାସ୍ଥ୍ୟକେନ୍ଦ୍ରରେ ବାଧାପ୍ରାପ୍ତ ରୋଗୀସେବା

ଜମନକିରା, ୧/୧୦: ଡାକ୍ତର ଅଛନ୍ତି ନାହିଁ, ହେଲେ ଖାଲି ପଡ଼ିଛି ଡାକ୍ତରଙ୍କ ଚେୟାର। ଫଳରେ ଡାକ୍ତରଙ୍କ ଅଭାବରେ ରୋଗୀସେବା ପ୍ରଭାବିତ ହେଉଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ପଞ୍ଚାୟତ ସ୍ୱାସ୍ଥ୍ୟକେନ୍ଦ୍ରରେ।

ସୂଚନା ଅନୁଯାୟୀ, କେନାଢିପା ସ୍ୱାସ୍ଥ୍ୟକେନ୍ଦ୍ରରେ ପୂର୍ବରୁ ନିଯୁକ୍ତ ଥିବା ଆୟୁଷ ଡାକ୍ତରଙ୍କର ଫାଶିମାଲକୁ ବଦଳି ପରେ ଡାକ୍ତର ବାସନ୍ତୀ ଟାଣ୍ଡିଆ ଏଠାରେ ରୋଗୀସେବା ଯୋଗାଇ ଆସୁଥିଲେ। ତେବେ ପ୍ରାୟ ଏକ ମାସ ପୂର୍ବରୁ ତାଙ୍କର ପଦୋନ୍ନତି ପରେ ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଯାଇଥିବାରୁ ଏବେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଶୂନ୍ୟ ହୋଇପଡ଼ିଛି।

ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟ କର୍ମଚାରୀମାନେ ନିଜ ନିଜ ଦାୟିତ୍ୱ ତୁଲାଉଥିଲେ ମଧ୍ୟ ଡାକ୍ତର ନଥିବାରୁ ରୋଗୀମାନେ ଆବଶ୍ୟକ ଚିକିତ୍ସା ପାଇବାରେ ସମସ୍ୟା ଭୋଗୁଛନ୍ତି। କେନାଢିପା ଓ ମହଦା ପଞ୍ଚାୟତର ବୃଦ୍ଧବୃଦ୍ଧାଙ୍କ ସମେତ ବହୁ ଗ୍ରାମବାସୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ। ପ୍ରତିଦିନ ପ୍ରାୟ ୪୦ରୁ ୫୦ ଜଣ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବା କୁହାଯାଉଛି।

ଡାକ୍ତର ନଥିବାରୁ ଜରୁରୀ ସମୟରେ ରୋଗୀଙ୍କୁ ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡ଼ୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ତେଣୁ ଲୋକଙ୍କ ସ୍ୱାସ୍ଥ୍ୟ ସୁବିଧାକୁ ଦୃଷ୍ଟିରେ ରଖି କେନାଢିପା ସ୍ୱାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଜଣେ ଡାକ୍ତର ନିଯୁକ୍ତ କରିବାକୁ କେନାଢିପା ଓ ମହଦା ପଞ୍ଚାୟତବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *