ତଥ୍ୟ ଭିତ୍ତିକ ନୀତି ପ୍ରଣୟନ ପାଇଁ ଓଡ଼ିଶା ସରକାର ଓ ଜେ–ପାଲ୍ (J-PAL) ସାଉଥ୍ ଏସିଆ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର, ୪ ନଭେମ୍ବର:
ରାଜ୍ୟରେ ପ୍ରମାଣ ତଥା ତଥ୍ୟ ଭିତ୍ତିକ ନୀତି ପ୍ରଣୟନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଏବଂ ଅବ୍ଦୁଲ୍ ଲତୀଫ୍ ଜମିଲ୍ ପଭର୍ଟି ଆକ୍ସନ୍ ଲ୍ୟାବ୍ (J-PAL) ସାଉଥ୍ ଏସିଆ ମଧ୍ୟରେ ଏକ ୩ ବର୍ଷିଆ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଯୋଜନା ଓ ସଂଯୋଜନ ବିଭାଗର ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ରଶ୍ମି କବି ଏବଂ ଜେ-ପାଲ୍ ସାଉଥ୍ ଏସିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶୋଭିନୀ ମୁଖାର୍ଜୀ ଏହି ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି।
ଏହି ସହଭାଗୀତା ‘ଓଡ଼ିଶା ଭିଜନ ୨୦୩୬’ (ସମୃଦ୍ଧ ଓଡ଼ିଶା) ଏବଂ ‘ଭିଜନ ୨୦୪୭’ (ବିକଶିତ ଓଡ଼ିଶା) ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ବିଭିନ୍ନ ବିଭାଗର ପ୍ରାଥମିକତାକୁ ଆଧାର କରି ଗବେଷଣା, କୃତ୍ରିମ ବୁଦ୍ଧିମତା (AI) ଏବଂ ଉନ୍ନତ ଡାଟା ମାଧ୍ୟମରେ ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

