*ତୃତୀୟ ପର୍ଯ୍ୟାୟରେ ଜିଲ୍ଲାରେ ୯ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ*
ଅନୁଗୋଳ, ୦୬.୧୧ : ଆଜି ଅନୁଗୋଳ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ୯ ଗୋଟି ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ଆଠମଲ୍ଲିକ ବ୍ଲକରେ ୧ଟି, ବଅଁରପାଳ ବ୍ଲକରେ ୫ଟି, ଛେଣ୍ଡିପଦା ବ୍ଲକରେ ୨ଟି ଏବଂ କିଶୋରନଗର ବ୍ଲକରେ ୧ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଛି।

ବଅଁରପାଳ ବ୍ଲକ ଅନ୍ତର୍ଗତ କୁମଣ୍ଡ-ଜରାସିଂହା ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡ଼ନାୟକ, ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ସମେତ ଜନ ପ୍ରତିନିଧି , ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଧୁସ୍ମିତା ନନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି କିଶୋରନଗର ବ୍ଲକରେ ଆୟୋଜିତ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ଯୋଗଦେଇଥିଲେ।
ଏହି ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ପ୍ରତିଷ୍ଠା ଦ୍ୱାରା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ସୁବିଧା ପାଇପାରିବେ। ଏହା ଶିକ୍ଷାର ମାନବୃଦ୍ଧି, ସମାନ ସୁଯୋଗ ସୃଷ୍ଟି ଏବଂ ଏକ ସମୃଦ୍ଧ ଓଡ଼ିଶା ଗଠନରେ ଅତ୍ୟନ୍ତ ସହାୟକ ହେବ ବୋଲି ଅତିଥିମାନେ କହିଥିଲେ।

