### ୧.୧୫ ଲକ୍ଷ ଟଙ୍କା ଲାଞ୍ଚ ଦାବି, ୩୦ ହଜାର ଟଙ୍କା ନେବାବେଳେ ଧରାପଡ଼ିଲେ ଆଇଟିଆଇ ଅଧ୍ୟକ୍ଷ
୯ ଜଣ ଅତିଥି ପ୍ରଶିକ୍ଷକଙ୍କ ଚାକିରି ଜାରି ରଖିବା ଓ ନିୟମିତ ଦରମା ପ୍ରଦାନ ପାଇଁ ମାଗିଥିଲେ ଲାଞ୍ଚ
ବଲାଙ୍ଗୀର: ଲାଞ୍ଚ ନେବାବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ସରକାରୀ ଆଇଟିଆଇର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା। ୯ ଜଣ ଅତିଥି ପ୍ରଶିକ୍ଷକଙ୍କ ଚାକିରି ଅବ୍ୟାହତ ରଖିବା ଏବଂ ନିୟମିତ ଦରମା ପ୍ରଦାନ କରିବା ବଦଳରେ ସେ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।
ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଅଧ୍ୟକ୍ଷ ଅତିଥି ପ୍ରଶିକ୍ଷକମାନଙ୍କୁ ନିୟମିତ ଦରମା ଦେବା ଏବଂ ସେମାନଙ୍କ କାର୍ଯ୍ୟ ଅବ୍ୟାହତ ରଖିବା ପାଇଁ ଟଙ୍କା ଦାବି କରିଥିଲେ। ଏପରିକି ଲାଞ୍ଚ ନଦେଲେ ସେମାନଙ୍କୁ କାର୍ଯ୍ୟରୁ ଅବ୍ୟାହତ କରିଦେବାକୁ ଧମକ ଦେଇଥିବା ଅଭିଯୋଗ ରହିଛି।

ଏହି ଚାପରେ ଅତିଷ୍ଠ ହୋଇ ୯ ଜଣ ପ୍ରଶିକ୍ଷକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଶୁକ୍ରବାର (୬ ନଭେମ୍ବର ୨୦୨୬) ବଲାଙ୍ଗୀର ରେଳ ଷ୍ଟେସନ ନିକଟରେ ଚଢ଼ାଉ କରିଥିଲା। ଏହି ସମୟରେ ଅଭିଯୁକ୍ତ ଅଧ୍ୟକ୍ଷ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ବାବଦରେ ପ୍ରଥମ କିସ୍ତି ୩୦ ହଜାର ଟଙ୍କା ଗ୍ରହଣ କରୁଥିବାବେଳେ ଧରାପଡ଼ିଥିଲେ।
ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ସମ୍ପୂର୍ଣ୍ଣ ୩୦ ହଜାର ଟଙ୍କା ଜବତ କରିଛନ୍ତି। ଚଢ଼ାଉ ପରେ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ତଲାସି ଜାରି ରହିଛି।
ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୨, ତାରିଖ ୦୫.୧୧.୨୦୨୬ରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ସୁରେଶ କୁମାର ଦଳବେହେରାଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
ସରକାରୀ ଶିକ୍ଷାନୁଷ୍ଠାନରେ ଲାଞ୍ଚ କାରବାର ଅଭିଯୋଗକୁ ନେଇ ଏହି ଘଟଣା ଚର୍ଚ୍ଚା ସୃଷ୍ଟି କରିଛି।
