Spread the love

ଦିଲ୍ଲୀ-ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ରୋକିବାକୁ ଏନ୍‌ଏଚ୍‌ଏଆଇର କଡ଼ା ପଦକ୍ଷେପ

ଧୂଳି ନିୟନ୍ତ୍ରଣ ପାଇଁ ୬୦ ଜଳ ସିଞ୍ଚନ ଟ୍ୟାଙ୍କର, ୧୪ ଆଣ୍ଟି-ସ୍ମଗ୍‌ ଗନ୍‌ ଓ ୯୦୦ରୁ ଅଧିକ କର୍ମଚାରୀ ନିୟୋଜିତ

ନୂଆଦିଲ୍ଲୀ, ୨୨ ଅକ୍ଟୋବର ୨୦୨୬: ଶୀତ ଋତୁ ପୂର୍ବରୁ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣକୁ ଅଧିକ କଡ଼ାକଡ଼ି କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)। ଜାତୀୟ ରାଜପଥ ଓ ଏକ୍ସପ୍ରେସ୍‌ୱେରେ ଧୂଳି ନିୟନ୍ତ୍ରଣ ସହ ଟ୍ରାଫିକ୍‌ ଭିଡ଼ ହ୍ରାସ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ଅଭିଯାନରେ ପ୍ରାୟ ୬୦ଟି ଜଳ ସିଞ୍ଚନ ଟ୍ୟାଙ୍କର ଓ ସ୍ପ୍ରିଙ୍କଲର, ୧୪ଟି ଆଣ୍ଟି-ସ୍ମଗ୍‌ ଗନ୍‌, ୨୩ଟି ମେକାନିକାଲ୍‌ ରୋଡ୍‌ ସ୍ୱିପିଂ ମେସିନ୍‌, ଦୁଇଟି ଟ୍ରାକ୍ଟର୍‌ ଚାଳିତ ବ୍ରୁମର୍‌ ଏବଂ ୯୦୦ରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ଏହା ସହ ଦିଲ୍ଲୀ-ଏନ୍‌ସିଆର୍‌ର ୧୫୭ କିଲୋମିଟର ଜାତୀୟ ରାଜପଥ ଅଞ୍ଚଳରେ ୧୩ଟି ମେକାନିକାଲ୍‌ ରୋଡ୍‌ ସ୍ୱିପିଂ ମେସିନ୍‌ ଚାଲୁ ରହିଛି।

ଏନ୍‌ଏଚ୍‌ଏଆଇର ବୈଷୟିକ ସଦସ୍ୟ ଆଲୋକ ଦୀପଙ୍କର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସମସ୍ତ ଯନ୍ତ୍ରପାତି ଓ କର୍ମଚାରୀଙ୍କୁ ଠିକ୍‌ ଭାବେ ନିୟୋଜିତ କରିବା, ନିୟମିତ ଜଳ ସିଞ୍ଚନ ଓ ଆଣ୍ଟି-ସ୍ମଗ୍‌ ଗନ୍‌ର ବ୍ୟବହାର ସହ ପ୍ରତିଦିନ ରାସ୍ତା ସଫା କରିବାକୁ ସେ କ୍ଷେତ୍ରସ୍ତରୀୟ ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍‌)ର ନିୟମକୁ କଡ଼ାକଡ଼ି ପାଳନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ନିର୍ମାଣ ସାମଗ୍ରୀକୁ ଘୋଡ଼ାଇ ରଖିବା, ରାସ୍ତାକୁ ଧୂଳିମୁକ୍ତ ରଖିବା ଏବଂ ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ୍‌ ପ୍ଲାନ୍‌ (ଜିଆର୍‌ଏପି) ଅନୁଯାୟୀ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ନେବାକୁ କୁହାଯାଇଛି। ଦୈନିକ କାର୍ଯ୍ୟର ତଦାରଖ ସହ ଭୌଗୋଳିକ ସ୍ଥିତି ଚିହ୍ନିତ ଫଟୋ ସହ ପ୍ରଗତି ରିପୋର୍ଟ ଦାଖଲ କରିବାକୁ ମଧ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି।

ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଏନ୍‌ଏଚ୍‌ଏଆଇ ପଦକ୍ଷେପ ନେଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଜାତୀୟ ରାଜଧାନୀ ଅଞ୍ଚଳରେ ୯.୫୨ ଲକ୍ଷ ଗଛ ଲଗାଇବାର ଲକ୍ଷ୍ୟ ରହିଥିବା ବେଳେ ପ୍ରାୟ ୯.୮୦ ଲକ୍ଷ ଚାରା ରୋପଣ କରାଯାଇଛି। ଏଥିରୁ ୯୦ ପ୍ରତିଶତରୁ ଅଧିକ ଚାରା ବଞ୍ଚିଥିବା ଜଣାପଡ଼ିଛି। ଏହା ବ୍ୟତୀତ ଦିଲ୍ଲୀର ଲ୍ୟାଣ୍ଡଫିଲ୍‌ ସ୍ଥଳରୁ ପ୍ରାୟ ୧୩.୫୮ ଲକ୍ଷ ଟନ୍‌ ନିଷ୍କ୍ରିୟ ବର୍ଜ୍ୟ ସାମଗ୍ରୀକୁ ଅର୍ବାନ୍‌ ଏକ୍ସଟେନ୍‌ସନ୍‌ ରୋଡ୍‌-୨ (ୟୁଇଆର୍‌-୨) ଓ ଡିଏନ୍‌ଡି-ସୋହନା କରିଡର୍‌ର ବନ୍ଧ ନିର୍ମାଣରେ ବ୍ୟବହାର କରାଯାଇଛି।

ସେହିପରି ୟୁଇଆର୍‌-୨, ଦ୍ୱାରକା ଏକ୍ସପ୍ରେସ୍‌ୱେ, ଡିଏନ୍‌ଡି-ସୋହନା ଏକ୍ସପ୍ରେସ୍‌ୱେ ଓ ଦିଲ୍ଲୀ-ଦେହରାଦୁନ୍‌ ଏକ୍ସପ୍ରେସ୍‌ୱେ ଭଳି ପ୍ରମୁଖ ଯାତାୟାତ ସୁଗମକାରୀ ପ୍ରକଳ୍ପର ମଧ୍ୟ ସମୀକ୍ଷା କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଟ୍ରାଫିକ୍‌ ଭିଡ଼ କମାଇବା ସହ ଯାନବାହନରୁ ନିର୍ଗତ ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଗ୍ରୀନ୍‌ ଦିଲ୍ଲୀ ଆପ୍‌ ଓ ସୋସିଆଲ୍‌ ମିଡିଆରେ ମିଳୁଥିବା ଜନସାଧାରଣଙ୍କ ଅଭିଯୋଗର ଶୀଘ୍ର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି।

ଧୂଳି ପ୍ରଦୂଷଣ ହ୍ରାସ, ବାୟୁର ଗୁଣବତ୍ତାରେ ଉନ୍ନତି ଏବଂ ଯାତାୟାତକୁ ସୁଗମ କରିବା ପାଇଁ ଏନ୍‌ଏଚ୍‌ଏଆଇ ନିରନ୍ତର ପ୍ରୟାସ ଜାରି ରଖିଥିବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *