Spread the love

### ନାଇଜେରିଆରେ ସେନା ଗାଡ଼ି ଉପରେ ଭୟଙ୍କର ଆକ୍ରମଣ: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୧୫ ମୃତ!

ବୋର୍ନୋ ରାଜ୍ୟରେ ପାଟ୍ରୋଲିଂ ବେଳେ ଅଘଟଣ, ବୋକୋ ହାରାମ୍‌ ଉପରେ ସନ୍ଦେହ

ନୂଆଦିଲ୍ଲୀ, ୨୦ ଅକ୍ଟୋବର: ଆତଙ୍କବାଦୀଙ୍କ ଆକ୍ରମଣରେ ପୁଣି ରକ୍ତରଞ୍ଜିତ ହୋଇଛି ନାଇଜେରିଆର ବୋର୍ନୋ ରାଜ୍ୟ। ସେନାର ଏକ ଗାଡ଼ି ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଶିକାର ହେବା ପରେ ଘଟିଛି ବଡ଼ ଧରଣର ଅଘଟଣ। ଏହି ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ନାଇଜେରିଆ ସେନାର ୧୦ ଜଣ ଯବାନ ଏବଂ ସିଭିଲିଆନ୍ ଜଏଣ୍ଟ ଟାସ୍କ ଫୋର୍ସର ୫ ଜଣ ସଦସ୍ୟ ଥିବା ରିପୋର୍ଟରେ ଦାବି କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ବୋର୍ନୋ ରାଜ୍ୟର ଗାମ୍ବରୁ ଅଞ୍ଚଳରେ ସେନାର ଏକ ବାଟାଲିୟନର ଯବାନମାନେ ପାଟ୍ରୋଲିଂ କରୁଥିଲେ। ନାଇଜେରିଆ-କାମେରୁନ୍ ସୀମା ନିକଟରେ ଗାଡ଼ିଟି ଯାଉଥିବା ସମୟରେ ରାସ୍ତାରେ ବିଛାଯାଇଥିବା ଲ୍ୟାଣ୍ଡମାଇନ୍‌ରେ ଧକ୍କା ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ସେନା ଗାଡ଼ିଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।

ବିସ୍ଫୋରଣ ପରେ ଆକ୍ରମଣକାରୀମାନେ ଗୁଳିମାଡ଼ ମଧ୍ୟ କରିଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ, ପ୍ରଥମ ଗାଡ଼ିରେ ଥିବା ୮ ଜଣ ଯବାନ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ପରେ ଦ୍ୱିତୀୟ ଗାଡ଼ି ଉପରେ ଗୁଳିମାଡ଼ ହେବାରୁ ଆଉ ୨ ଜଣ ସେନା ଯବାନ ଏବଂ ୫ ଜଣ ସିଭିଲିଆନ୍ ଜଏଣ୍ଟ ଟାସ୍କ ଫୋର୍ସ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଦୁଇଜଣ ସେନା ସୂତ୍ର ଦାବି କରିଛନ୍ତି। ଏହା ସହ ୬ ଜଣ ଆହତ ଯବାନଙ୍କୁ ଚିକିତ୍ସା ପାଇଁ ମୈମାଲାରି ସାମରିକ ଡାକ୍ତରଖାନାକୁ ନିଆଯାଇଥିବା ଖବର ରହିଛି।

ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ବୋକୋ ହାରାମ୍‌ର ହାତ ଥିବା ସନ୍ଦେହ କରାଯାଉଛି। ତେବେ ଏହି ଅଞ୍ଚଳରେ ବୋକୋ ହାରାମ୍‌ ସହ ଇସ୍‌ଲାମିକ୍ ଷ୍ଟେଟ୍‌ ୱେଷ୍ଟ ଆଫ୍ରିକା ପ୍ରୋଭିନ୍ସ (ISWAP) ମଧ୍ୟ ସକ୍ରିୟ ରହିଛି। ଦୀର୍ଘ ବର୍ଷ ଧରି ଏହି ଦୁଇ ସଂଗଠନ ନାଇଜେରିଆର ଉତ୍ତର-ପୂର୍ବ ଅଞ୍ଚଳରେ ସେନା ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରି ଆକ୍ରମଣ କରିଆସୁଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣା ସମ୍ପର୍କରେ ନାଇଜେରିଆ ସେନାର ମୁଖପାତ୍ର କ୍ୟାପଟେନ୍ ମହମ୍ମଦ ଗୋନି ମତାମତ ଦେବାକୁ ମନା କରିଥିବା ରିପୋର୍ଟରେ କୁହାଯାଇଛି। ମୃତାହତଙ୍କ ସଂଖ୍ୟାକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇପାରିନାହିଁ।

 

Leave a Reply

Your email address will not be published. Required fields are marked *