ନିରବ ପ୍ରଶାସନ କୁ ଜାଗ୍ରତ ଗ୍ରାମବାସୀ, ସଫା କଲେ ପୋଖରୀ
ଭଟଲି (ଅଭିମନ୍ୟୁ ପଧାନ ) : ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ଗ୍ରାମର ଜୁନ୍ହା ବନ୍ଧ ପୋଖରୀର ହିଡ଼ ଓ ପରିସରରେ ଜମି ରହିଥିବା ଆବର୍ଜନା ସଫା କରିଛନ୍ତି ଗ୍ରାମର ନବଜାଗରଣ ଯୁବା ମଞ୍ଚର ସଦସ୍ୟ । ନିଜସ୍ବ ଖର୍ଚ୍ଚରେ ସଫେଇ କାର୍ଯ୍ୟ କରି ଯୁବଗୋଷ୍ଠୀ ସ୍ବଚ୍ଛତା ଓ ସାମାଜିକ ଦାୟିତ୍ବବୋଧର ଉଦାହରଣ ସୃଷ୍ଟି କରିଛନ୍ତି।ଦୀର୍ଘ ବର୍ଷ ଧରି ପୋଖରୀ ଅପରିଷ୍କାର ହୋଇ ପଡ଼ି ରହିଥିଲା। ପୋଖରୀର ହିଡ଼ ଓ ଚତୁଃପାର୍ଶ୍ଵରେ ଅନାବନା ଘାସ, ଲତା ଏବଂ ଆବର୍ଜନା ଜମା ହୋଇ ରହିଥିବା ବେଳେ କେତେକ ଲୋକ ଘରର ଆବର୍ଜନା ମଧ୍ୟ ସେଠାରେ ପକାଉଥିଲେ। ଫଳରେ ଦୁର୍ଗନ୍ଧ ହେବା ସହ ପରିବେଶ ଅସ୍ବାସ୍ଥ୍ୟକର ହୋଇ ପଡ଼ିଥିଲା। ଏପରିକି ପୋଖରୀ ନିକଟ ରାସ୍ତାରେ ଯାତାୟାତ କଷ୍ଟକର ହୋଇ ପଡ଼ିଥିଲା। ଦୀର୍ଘ ଦିନ ହେଲା ଲାଗି ରହିଥିବା ସମସ୍ୟା ସମାଧାନ ନେଇ ବାରମ୍ବାର ଦାବି ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥ୍ଲା । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖ୍ ନବ ଜାଗରଣ ଯୁବା ମଞ୍ଚର ଯୁବକ ଏକଜୁଟ ହୋଇ ବିନା କୌଣସି ସରକାରୀ ସହାୟତାରେ ।ରେ ନିଜସ୍ବ ଖର୍ଚ୍ଚରେ ପୋଖରୀ ହିଡ଼ରୁ ଅନାବନା ଘାସ, ଲତା ଓ ଅନ୍ୟାନ୍ୟ ଆବର୍ଜନା ସଫା କରିବା ସହ ପୋଖରୀ ଭିତରେ ପଡ଼ିଥିବା ଆବର୍ଜନା ମଧ୍ୟ ସଫା କରିଥିଲେ। ସଫେଇ କାର୍ଯ୍ୟକ୍ରମ କେବଳ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ନୁହେଁ ବରଂ ଗ୍ରାମବାସୀଙ୍କ ମଧ୍ୟରେ ସ୍ବଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଭବିଷ୍ୟତରେ ପୋଖରୀ ପରିସରକୁ ଅପରିଷ୍କାର ନକରିବା ସହ ଏହାର ସ୍ବଚ୍ଛତା ବଜାୟ ରଖିବାକୁ ଯୁବଗୋଷ୍ଠୀ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। ସଫେଇ କାର୍ଯ୍ୟକ୍ରମରେ ଗ୍ରାମର ବହୁ ଯୁବକ ସାମିଲ ହୋଇଥିଲେ।

