ନୂଆ ଦାୟିତ୍ୱରେ ଅନିତା ବିଶ୍ୱାଳ, ତାଳଚେର ପୌରାଞ୍ଚଳ ବିକାଶକୁ ଗୁରୁତ୍ୱ
ତାଳଚେର: ତାଳଚେର ପୌର ପରିଷଦର ନବନିଯୁକ୍ତ ଉପ-ନଗରପାଳ ଭାବେ ଶ୍ରୀମତୀ ଅନିତା ବିଶ୍ୱାଳ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ପୌର ପରିଷଦ ପକ୍ଷରୁ ତାଙ୍କୁ ସ୍ୱାଗତ ଜଣାଇବା ସହ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ଦାୟିତ୍ୱ ଗ୍ରହଣ ଅବସରରେ ପୌର ପରିଷଦର କର୍ମକର୍ତ୍ତା, ଅତିଥି ଓ ଶୁଭେଚ୍ଛୁମାନେ ଶ୍ରୀମତୀ ବିଶ୍ୱାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ। ଏଥିସହ ତାଙ୍କର ନୂଆ ଦାୟିତ୍ୱ ସଫଳ ହେଉ ବୋଲି ଶୁଭକାମନା କରିଥିଲେ।
ନୂଆ ଦାୟିତ୍ୱରେ ତାଳଚେର ପୌରାଞ୍ଚଳର ସାମଗ୍ରିକ ବିକାଶ, ସ୍ୱଚ୍ଛତା ବ୍ୟବସ୍ଥାର ସୁଧାର, ନାଗରିକ ସେବାକୁ ଅଧିକ ସୁଦୃଢ଼ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେବେ ବୋଲି ଆଶା ପ୍ରକାଶ ପାଇଛି।
ଅନିତା ବିଶ୍ୱାଳଙ୍କ ଦାୟିତ୍ୱ ଗ୍ରହଣକୁ ନେଇ ପୌରାଞ୍ଚଳରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଛି। ଆଗାମୀ ଦିନରେ ତାଙ୍କ ନେତୃତ୍ୱରେ ତାଳଚେର ପୌର ପରିଷଦ ଜନସାଧାରଣଙ୍କ ସେବା ଓ ବିକାଶ କାର୍ଯ୍ୟକୁ ଆହୁରି ଗତିଶୀଳ କରିବ ବୋଲି ଶୁଭେଚ୍ଛୁମାନେ ଆଶାବ୍ୟକ୍ତ କରିଛନ୍ତି।
