ପାଞ୍ଚଗଡ଼ କଲେଜ ଛାତ୍ରସଂସଦ ନିର୍ବାଚନରେ ଏବିଭିପିର ଦବ୍ଦବା
ତିନି ପ୍ରମୁଖ ପଦ ହାତେଇଲେ ଏବିଭିପି ସମର୍ଥିତ ପ୍ରାର୍ଥୀ
ବଅଁରପାଳ: ଦୀର୍ଘ ପ୍ରାୟ ୮ ବର୍ଷର ବ୍ୟବଧାନ ପରେ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦେବ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ହୋଇଛି। ତିନୋଟି ପ୍ରମୁଖ ପଦରେ ବିଜୟ ହାସଲ କରି ଛାତ୍ର ରାଜନୀତିରେ ନିଜର ପ୍ରଭାବ ପ୍ରତିପାଦନ କରିଛି ଏବିଭିପି।
ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହୋଇଥିବାବେଳେ ଅପରାହ୍ନ ୩ଟାରୁ ଭୋଟ ଗଣତି ଆରମ୍ଭ ହୋଇ ୫ଟାରେ ଶେଷ ହୋଇଥିଲା। ଫଳାଫଳ ଘୋଷଣା ପରେ ସଭାପତି ପଦରେ ଅଙ୍କିତା ପଟ୍ଟନାୟକ, ଉପସଭାପତି ପଦରେ ହ୍ରିତିଶ ନାଏକ ଏବଂ ସାଧାରଣ ସମ୍ପାଦକ ପଦରେ ପ୍ରସାଦ ବେହେରା ବିଜୟୀ ହୋଇଥିବା ଜଣାପଡ଼ିଛି।
ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତହସିଲଦାର ସୁଶାନ୍ତ କୁମାର ମିଶ୍ର, ବଅଁରପାଳ ଥାନା ଅଧିକାରୀ ଅୟସକାନ୍ତ ଜେନା ଏବଂ କଲେଜ ଅଧ୍ୟକ୍ଷ ପଦ୍ମଚରଣ ସାହୁଙ୍କ ଉପସ୍ଥିତିରେ ସମଗ୍ର ନିର୍ବାଚନ ପ୍ରକ୍ରିୟା ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା।
ଦୀର୍ଘ ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହୋଇଥିବାରୁ କଲେଜ ପରିସରରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା। ତିନି ପ୍ରମୁଖ ପଦରେ ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ସଂଗଠନ ପାଇଁ ଏକ ଉଲ୍ଲେଖନୀୟ ସଫଳତା ଭାବେ ବିବେଚିତ ହୋଇଛି।
