### ପାଞ୍ଚ ଗୋଲ୍ର ରୋମାଞ୍ଚକର ଲଢ଼େଇରେ ଓଡ଼ିଶା ଏଫ୍ସି ପରାସ୍ତ, ପଏଣ୍ଟ ଟେବୁଲ୍ର ଶୀର୍ଷରେ ମୋହନ ବାଗାନ
କୋଲକାତା, ୫/୧୧: ଇଣ୍ଡିଆନ୍ ସୁପର ଲିଗ୍ (ISL) ଫୁଟବଲ୍ରେ ଗୁରୁବାର ଏକ ରୋମାଞ୍ଚକର ମ୍ୟାଚ୍ରେ ଓଡ଼ିଶା ଏଫ୍ସିକୁ ୩-୨ ଗୋଲ୍ରେ ପରାସ୍ତ କରିଛି ମୋହନ ବାଗାନ ସୁପର ଜାଏଣ୍ଟ। କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଶେଷ ମୁହୂର୍ତ୍ତର ଗୋଲ୍ ମୋହନ ବାଗାନକୁ ବିଜୟ ଭେଟି ଦେଇଛି।
ମୋହନ ବାଗାନ ପକ୍ଷରୁ ଦେଜାନ୍ ଡ୍ରାଜିକ୍ ୪୭ତମ ଓ ୭୪ତମ ମିନିଟ୍ରେ ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ୮୮ତମ ମିନିଟ୍ରେ ଲି ଏରୱିନ୍ ବିଜୟସୂଚକ ଗୋଲ୍ ଦେଇଥିଲେ। ଅନ୍ୟପକ୍ଷରେ ଓଡ଼ିଶା ଏଫ୍ସି ପାଇଁ ମହମ୍ମଦ ଇଦ୍ ୫୧ତମ ଏବଂ ଏଭରଟନ୍ ୭୯ତମ ମିନିଟ୍ରେ ଗୋଲ୍ କରି ଦଳକୁ ଦୁଇଥର ସମାନ ସ୍ଥିତିକୁ ଫେରାଇ ଆଣିଥିଲେ। କିନ୍ତୁ ଶେଷରେ ବିଜୟ ହାତେଇବାରେ ସଫଳ ହୋଇଥିଲା ଘରୋଇ ଦଳ।
ମ୍ୟାଚ୍ ଆରମ୍ଭରୁ ମୋହନ ବାଗାନ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମ ମିନିଟ୍ରେ ହିଁ ଲି ଏରୱିନ୍ଙ୍କୁ ଗୋଲ୍ କରିବାର ସୁଯୋଗ ମିଳିଥିଲେ ମଧ୍ୟ ଓଡ଼ିଶା ଗୋଲକିପର ହ୍ରିତିକ ତିୱାରୀ ଏହାକୁ ରୋକି ଦେଇଥିଲେ। ପ୍ରଥମାର୍ଦ୍ଧରେ ଉଭୟ ଦଳ ଗୋଲ୍ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସ୍କୋର୍ ୦-୦ ରହିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବାର ଦୁଇ ମିନିଟ୍ ମଧ୍ୟରେ ମୋହନ ବାଗାନ ପ୍ରଥମ ଗୋଲ୍ ଦେଇଥିଲା। ଅନିରୁଦ୍ଧ ଥାପାଙ୍କ ଚମତ୍କାର ପାସ୍କୁ ଦେଜାନ୍ ଡ୍ରାଜିକ୍ ନିଜ ନିୟନ୍ତ୍ରଣକୁ ନେଇ ବାମପାଦରେ ବଲ୍କୁ ଗୋଲ୍ପୋଷ୍ଟର ନିମ୍ନ କୋଣକୁ ପଠାଇଥିଲେ। ତେବେ ୫୧ତମ ମିନିଟ୍ରେ ନିହାଲ ସୁଧୀଶଙ୍କ କ୍ରସ୍କୁ ମହମ୍ମଦ ଇଦ୍ ଗୋଲ୍ରେ ପରିଣତ କରି ମ୍ୟାଚ୍କୁ ୧-୧ ସ୍ଥିତିକୁ ଆଣିଥିଲେ।
୭୪ତମ ମିନିଟ୍ରେ ଲାଲିଆନଜୁଆଲା ଛାଙ୍ଗତେଙ୍କ ନିମ୍ନ କ୍ରସ୍କୁ ଡ୍ରାଜିକ୍ ଗୋଲ୍ରେ ପରିଣତ କରି ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ ସହ ମୋହନ ବାଗାନକୁ ୨-୧ରେ ଆଗୁଆ କରିଥିଲେ। ହେଲେ ଓଡ଼ିଶା ଏଫ୍ସି ହାର ମାନିନଥିଲା। ୭୯ତମ ମିନିଟ୍ରେ ଏଭରଟନ୍ ଏକ ଚମତ୍କାର ରାଇଟ୍ ଫୁଟ୍ ସଟ୍ ଜରିଆରେ ଗୋଲ୍ ଦେଇ ସ୍କୋର୍କୁ ୨-୨ କରିଥିଲେ।
ମ୍ୟାଚ୍ ଡ୍ର ଆଡ଼କୁ ଗତି କରୁଥିବା ବେଳେ ୮୮ତମ ମିନିଟ୍ରେ ଲି ଏରୱିନ୍ଙ୍କ ଗୋଲ୍ ଖେଳର ଚିତ୍ର ବଦଳାଇ ଦେଇଥିଲା। ତାଙ୍କର ଶକ୍ତିଶାଳୀ ଡାହାଣ ପାଦର ସଟ୍ ସିଧା ଗୋଲ୍ପୋଷ୍ଟର ବାମ ତଳ କୋଣକୁ ଚାଲିଯାଇଥିଲା। ଫଳରେ ୩-୨ ଗୋଲ୍ରେ ମ୍ୟାଚ୍ ଜିତି ନେଇଥିଲା ମୋହନ ବାଗାନ।

ଏହି ବିଜୟ ସହ ମୋହନ ବାଗାନ ସୁପର ଜାଏଣ୍ଟ ୫ଟି ମ୍ୟାଚ୍ରୁ ୧୨ ପଏଣ୍ଟ ହାସଲ କରି ISL ପଏଣ୍ଟ ଟେବୁଲ୍ର ଶୀର୍ଷ ସ୍ଥାନ ଦଖଲ କରିଛି। ଅନ୍ତର୍ଜାତୀୟ ବିରତି ପୂର୍ବରୁ ଲିଗ୍ ଶୀର୍ଷରେ ରହିବା ଦଳ ପାଇଁ ଏକ ଉଲ୍ଲେଖନୀୟ ସଫଳତା ହୋଇଛି। ଅନ୍ୟପଟେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ମଧ୍ୟ ପରାଜୟ ସହ ମୈଦାନ ଛାଡ଼ିଛି ଓଡ଼ିଶା ଏଫ୍ସି।
