Spread the love

ଗୋତମୁଣ୍ଡାରେ ଇତିହାସ ରଚିଲା ଦଣ୍ଡପାଟ ଦଶରା! ପାରମ୍ପରିକ ବୀର ବାଦ୍ୟ ଘୁମୁରାରେ ଦୁଲୁକିଲା ମଞ୍ଚ, ଖଣ୍ଡାଧୂଆ ଓ ମଶାଲ ଯାତ୍ରାରେ ଝଲସିଲା ପରମ୍ପରା l

କଳାହାଣ୍ଡି..କୋକସରା (ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ ନୀୟୁଜ )ଆସ୍ଥା, ଭକ୍ତି, ପରମ୍ପରା ଓ ଆଦିବାସୀ ସଂସ୍କୃତିର ଅନନ୍ୟ ସମାଗମ ପାଲଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡାଠାରେ ଅନୁଷ୍ଠିତ ଦଣ୍ଡପାଟର ଆରାଧ୍ୟା ଦେବୀ ମା’ ସର୍ବମଙ୍ଗଳା ଘାଟିମୁଣ୍ଡିଆଣୀଙ୍କ ଦଶରା ମହୋତ୍ସବ। ତିନିଦିନ ଧରି ଚାଲିଥିବା ଏହି ମହୋତ୍ସବ ଧୁମଧାମରେ ଉଦଯାପିତ ହୋଇଛି। ମହୋତ୍ସବର ପ୍ରଥମ ଦିନରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଦ୍ୱିତୀୟ ଦିନରେ ବିଭିନ୍ନ ପ୍ରଶାସନିକ ଅଧିକାରୀ ଏବଂ ତୃତୀୟ ଦିନରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଅତିଥି ଭାବେ ଯୋଗଦେଇଥିଲେ l ପାରମ୍ପରିକ ଖଣ୍ଡାଧୂଆ ଓ ମଶାଲ ଯାତ୍ରା ସହ ଆଦିବାସୀ ନୃତ୍ୟ, ଲୋକନୃତ୍ୟ ଓ ଘଣ୍ଟଦଳର ଆକର୍ଷଣୀୟ ପରିବେଷଣରେ ଗୋତମୁଣ୍ଡା ଉତ୍ସବମୁଖର ହୋଇଉଠିଥିଲା। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷର ମହୋତ୍ସବରେ ଆୟୋଜକ କମିଟି ପକ୍ଷରୁ ନିଆଯାଇଥିବା ଏକ ଐତିହାସିକ ନିଷ୍ପତ୍ତି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡିର ମୌଳିକ ପରିଚୟ ତଥା ପାରମ୍ପରିକ ବୀର ବାଦ୍ୟ ଘୁମୁରାର ସୁରକ୍ଷା ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରଙ୍ଗୀନ ଘୁମୁରା ପରିବର୍ତ୍ତେ ପାରମ୍ପରିକ ଘୁମୁରାକୁ ଅଧିକ ଗୁରୁତ୍ୱ ଦେବାକୁ କମିଟି ନିଷ୍ପତ୍ତି ନେଇଛି। ମହୋତ୍ସବରେ ଅତିଥି ଭାବେ ନିଖିଳ ମହେଶ୍ୱରୀ, ଗୋଲାପ ଅଗ୍ରୱାଲ, ନୀଲେଶ ବଂଶଲ, ଭବେଶ ସାହୁ ଓ କମିଟି ସଭାପତି ହେମନ୍ତ ମାଝୀ ମଞ୍ଚାସୀନ ହୋଇଥିଲେ। ଆଗାମୀ ଦିନରେ ଗୋତମୁଣ୍ଡା ଦଣ୍ଡପାଟ ଦଶରା ମଞ୍ଚରେ କେବଳ ପାରମ୍ପରିକ ଘୁମୁରା ଦଳକୁ ନେଇ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି କମିଟି ସଭାପତି ହେମନ୍ତ ମାଝୀ କହିଛନ୍ତି।
ଦଣ୍ଡପାଟର ଐତିହାସିକ ପରମ୍ପରା, କଳାହାଣ୍ଡିର ଲୋକକଳା ଓ ଆଦିବାସୀ ସଂସ୍କୃତିର ସୁରକ୍ଷା ଦିଗରେ କମିଟିର ଏହି ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି। ଭକ୍ତି ଓ ପରମ୍ପରାର ଏହି ମହାମିଳନ ଗୋତମୁଣ୍ଡା ଦଶରାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

Leave a Reply

Your email address will not be published. Required fields are marked *