Spread the love

### ବଜେଟ୍ ଖର୍ଚ୍ଚରେ ଗତି ଆଣିବା ସହ ଜନସେବାକୁ ଅଧିକ ସରଳ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

୨୦୨୭-୨୮ ବଜେଟ୍ ପ୍ରସ୍ତୁତି ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା; ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାରକୁ ଗୁରୁତ୍ୱ

ଭୁବନେଶ୍ୱର, ୧୨।୧୧: ରାଜ୍ୟର ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା, ବଜେଟ୍‌ର ଅର୍ଥ ନିର୍ଦ୍ଧାରିତ ସମୟରେ ବିନିଯୋଗ କରିବା ଏବଂ ସରକାରୀ ସେବାକୁ ଜନସାଧାରଣଙ୍କ ନିକଟରେ ସହଜରେ ପହଞ୍ଚାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଏହିସବୁ ପ୍ରସଙ୍ଗ ସହ ରାଜ୍ୟର ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା ଓ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି।

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଯୋଗଦେଇଥିଲେ।

ବୈଠକରେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଖର୍ଚ୍ଚର ସମୀକ୍ଷା ସହ ଆଗାମୀ ଅତିରିକ୍ତ ବଜେଟ୍ ଏବଂ ୨୦୨୭-୨୮ ବାର୍ଷିକ ବଜେଟ୍ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା। ଅକ୍ଟୋବର ପ୍ରଥମ ସପ୍ତାହରୁ ନଭେମ୍ବର ୧୨ ତାରିଖ ସୁଦ୍ଧା ରାଜ୍ୟରେ ହାସଲ ହୋଇଥିବା ପ୍ରମୁଖ ସଫଳତା, ନୂତନ ପଦକ୍ଷେପ ଓ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଥିଲେ।

ଏହି ଅବଧିରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆର୍‌ବିଆଇ ଡାଟା ସେଣ୍ଟର ଉଦ୍‌ଘାଟନ, କଳିଙ୍ଗନଗରରେ ଶିଳ୍ପ ପ୍ରକଳ୍ପର ଭୂମିପୂଜନ, ଅକ୍ଷୟ ଶକ୍ତି କ୍ଷେତ୍ରରେ ୧.୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଏବଂ ୧୮ଟି ବୁଝାମଣାପତ୍ର ସ୍ୱାକ୍ଷର ଭଳି ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଏଥିସହ ରାଜ୍ୟ କ୍ୟାବିନେଟ୍‌ର ପ୍ରମୁଖ ନିଷ୍ପତ୍ତି ଓ ୨,୦୬୭ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ଦୁର୍ନୀତି ନିବାରଣ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୬୫ ପ୍ରତିଶତକୁ ବୃଦ୍ଧି ଆଦି ସଫଳତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ସେହିପରି ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ସ୍ୱର୍ଣ୍ଣପଦକ ବିଜୟ, ୬୩୦ଟି ବିଦ୍ୟାଳୟରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟ, ପେନ୍‌ସନ୍ ପରିଚାଳନା ପୋର୍ଟାଲ୍‌ର ଶୁଭାରମ୍ଭ ଏବଂ ସ୍ୱଚ୍ଛ ସର୍ବେକ୍ଷଣରେ ପୁରୀ, ଭୁବନେଶ୍ୱର ଓ ଆସିକାର ସଫଳତାକୁ ମଧ୍ୟ ବୈଠକରେ ଉଲ୍ଲେଖ କରାଯାଇଥିଲା।

ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାରକୁ ଗୁରୁତ୍ୱ

ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରେ ପ୍ରଭାବିତ ଲୋକଙ୍କୁ ରିଲିଫ୍ ପ୍ରଦାନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ସହାୟତା ପହଞ୍ଚାଇବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବଜେଟ୍ ଖର୍ଚ୍ଚରେ ୯.୯ ପ୍ରତିଶତ ବୃଦ୍ଧି

ଅକ୍ଟୋବର ୩୧, ୨୦୨୬ ସୁଦ୍ଧା ରାଜ୍ୟର ଆର୍ଥିକ ସ୍ଥିତି ଓ ବିଭିନ୍ନ ବିଭାଗର ଖର୍ଚ୍ଚ ଏବଂ ରାଜସ୍ୱ ଆଦାୟର ସମୀକ୍ଷା କରାଯାଇଥିଲା। ପୂର୍ବବର୍ଷର ଅକ୍ଟୋବର ମାସ ତୁଳନାରେ ଚଳିତ ବର୍ଷ ବଜେଟ୍ ଅନୁମୋଦନ ଅନୁସାରେ ସାମଗ୍ରିକ ଖର୍ଚ୍ଚ ୯.୯ ପ୍ରତିଶତ ବୃଦ୍ଧି ପାଇଛି। କାର୍ଯ୍ୟକ୍ରମ ଖର୍ଚ୍ଚରେ ୧୧ ପ୍ରତିଶତ ଏବଂ ପୁଞ୍ଜି ବ୍ୟୟରେ ୨୭.୨ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଭିତ୍ତିଭୂମି କ୍ଷେତ୍ରରେ ଖର୍ଚ୍ଚ ୧୩.୫ ପ୍ରତିଶତ ବୃଦ୍ଧି ପାଇଥିବା ବୈଠକରେ ତଥ୍ୟ ଉପସ୍ଥାପିତ ହୋଇଥିଲା।

ବଜେଟ୍‌ରେ ଅନୁମୋଦିତ ଅର୍ଥକୁ ଠିକ୍ ସମୟରେ ବିନିଯୋଗ କରିବା ସହ ଅଧାପନ୍ତରିଆ ଉନ୍ନୟନମୂଳକ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ। ଆଗାମୀ ବଜେଟ୍‌କୁ ‘ବିକଶିତ ଓଡ଼ିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ର ଦୀର୍ଘକାଳୀନ ଲକ୍ଷ୍ୟ ସହ ସମନ୍ୱିତ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମିକ କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଜନଜାତି ବିକାଶ ଏବଂ ଦକ୍ଷତା ବିକାଶ ଭଳି ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ଓ କାର୍ଯ୍ୟକାରିତା ବଢ଼ାଇବାକୁ ବିଭାଗୀୟ ସଚିବମାନଙ୍କୁ କୁହାଯାଇଥିଲା।

ଅନଲାଇନ୍ ସେବା ଓ ସ୍ୱୟଂକ୍ରିୟ ଅପିଲ୍ ବ୍ୟବସ୍ଥାର ସମୀକ୍ଷା

ବୈଠକରେ ଇଜ୍ ଅଫ୍ ଡୁଇଂ ବିଜନେସ୍ ଅନ୍ତର୍ଗତ ବ୍ୟବସାୟିକ ସଂସ୍କାର ଯୋଜନା ସହ ଓଡ଼ିଶା ଲୋକସେବା ଅଧିକାର ଆଇନ, ୨୦୧୨ ଅନୁଯାୟୀ ନାଗରିକଙ୍କୁ ମିଳୁଥିବା ସେବାର ସମୀକ୍ଷା କରାଯାଇଥିଲା।

ବର୍ତ୍ତମାନ ୩୨ଟି ବିଭାଗର ୪୫୧ଟି ବିଜ୍ଞପିତ ସେବା ମଧ୍ୟରୁ ୩୭୧ଟି ସେବା ଅନଲାଇନ୍‌ରେ ଏବଂ ୮୦ଟି ସେବା ଅଫ୍‌ଲାଇନ୍‌ରେ ଉପଲବ୍ଧ ରହିଛି। ୨୪୧ଟି ସେବାରେ ସ୍ୱୟଂକ୍ରିୟ ଅପିଲ୍ ବ୍ୟବସ୍ଥା ଲାଗୁ ହୋଇଥିବାବେଳେ ୨୬୫ଟି ସେବା କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥାରେ ସାମିଲ ହୋଇଛି। ଏଥିସହ ୨୦୮ଟି ସେବାକୁ ‘ଆମସାଥୀ’ ଆପ୍‌ର ଚାଟ୍‌ବୋଟ୍ ସହ ସଂଯୋଗ କରାଯାଇଛି।

ଅଫ୍‌ଲାଇନ୍‌ରେ ଉପଲବ୍ଧ ସେବାଗୁଡ଼ିକୁ ପର୍ଯ୍ୟାୟକ୍ରମେ ଅନଲାଇନ୍‌ରେ ଉପଲବ୍ଧ କରାଇବା, ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ବଢ଼ାଇବା ଏବଂ ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ଆଣିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ଜନସାଧାରଣଙ୍କୁ ନିର୍ଦ୍ଧାରିତ ସମୟରେ ତ୍ୱରିତ ଓ ସହଜ ସେବା ଯୋଗାଇଦେବା ଉପରେ ମୁଖ୍ୟ ଶାସନ ସଚିବ ପ୍ରାଥମିକତା ଦେଇଥିଲେ। ବୈଠକରେ ବିଭିନ୍ନ ବିଭାଗର ସଚିବମାନେ ନିଜ ନିଜ ବିଭାଗର କାର୍ଯ୍ୟ ଓ ପ୍ରସଙ୍ଗ ଉପରେ ମତାମତ ରଖିଥିଲେ।

Leave a Reply

Your email address will not be published. Required fields are marked *

You missed