Spread the love

ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା, ଘର ଭାଙ୍ଗିଥିଲେ ମିଳିବ ୧.୨୦ରୁ ୧.୩୦ ଲକ୍ଷ ଟଙ୍କା

ଚାଷ ଜମିର କ୍ଷୟକ୍ଷତି ପାଇଁ ହେକ୍ଟର ପିଛା ୮,୫୦୦ରୁ ୨୨,୫୦୦ ଟଙ୍କା | ପ୍ରଭାବିତ ପରିବାରଙ୍କୁ ୫୦ କେଜି ଚାଉଳ ସହ ୨,୫୦୦ ଟଙ୍କା

ଭୁବନେଶ୍ୱର: ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ କ୍ଷତିପୂରଣ ସହାୟତା ଘୋଷଣା କରିଛନ୍ତି। ଚାଷ ଜମିଠାରୁ ଆରମ୍ଭ କରି ବାସଗୃହ ଓ ବ୍ୟବସାୟିକ ପ୍ରତିଷ୍ଠାନର କ୍ଷୟକ୍ଷତି ପାଇଁ ସହାୟତା ରାଶି ଘୋଷଣା କରାଯାଇଛି।

ଘୋଷଣା ଅନୁଯାୟୀ, ଅଣଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୮,୫୦୦ ଟଙ୍କା ମିଳିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଏବଂ ଗ୍ରୀଷ୍ମକାଳୀନ ଫସଲ କ୍ଷତି ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ସହାୟତା ଦିଆଯିବ।

ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ୫୦ କେଜି ଚାଉଳ ସହିତ ୨,୫୦୦ ଟଙ୍କା ଆର୍ଥିକ ସହାୟତା ମିଳିବ। ଘର କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ପାଇଁ ମଧ୍ୟ ସହାୟତା ଘୋଷଣା କରାଯାଇଛି। ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ପାହାଡ଼ିଆ ଅଞ୍ଚଳରେ ଘର ନଷ୍ଟ ହୋଇଥିଲେ ୧ ଲକ୍ଷ ୩୦ ହଜାର ଟଙ୍କା ମିଳିବ।

ଏହାବ୍ୟତୀତ କ୍ଷତିଗ୍ରସ୍ତ ଛୋଟ ଦୋକାନୀ ଓ ଅସ୍ଥାୟୀ ଦୋକାନ କରିଥିବା ବ୍ୟବସାୟୀଙ୍କୁ ୧୦ ହଜାର ଟଙ୍କା ଏବଂ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ୨୫ ହଜାର ଟଙ୍କା ସହାୟତା ଦିଆଯିବ।

ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ ଶେଷ ହୋଇନାହିଁ। କ୍ଷତିର ସଠିକ୍ ଆକଳନ ଓ ଯାଞ୍ଚ ପ୍ରକ୍ରିୟା ପୂରା ହେବା ପରେ ଆବଶ୍ୟକତା ଅନୁଯାୟୀ ଅଧିକ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣାରେ କୁହାଯାଇଛି।

Leave a Reply

Your email address will not be published. Required fields are marked *

You missed