ବିଜେଡିରେ ଢେଙ୍କାନାଳର ଦୁଇ ନେତାଙ୍କୁ ନୂଆ ଦାୟିତ୍ୱ
ସିନିୟର ପ୍ୟାନେଲିଷ୍ଟ ହେଲେ ସୁଧୀର ସାମଲ, ସୋସିଆଲ ମିଡିଆ ଷ୍ଟିୟରିଂ କମିଟିରେ ଡ଼ା. ଅବିନାଶ ସାମଲ
ଢେଙ୍କାନାଳ: ବିଜୁ ଜନତା ଦଳ (ବିଜେଡି)ରେ ଢେଙ୍କାନାଳ ଜିଲ୍ଲାର ଦୁଇ ପ୍ରମୁଖ ଚେହେରାଙ୍କୁ ନୂଆ ସାଂଗଠନିକ ଦାୟିତ୍ୱ ମିଳିଛି। ପୂର୍ବତନ ବିଧାୟକ ସୁଧୀର କୁମାର ସାମଲଙ୍କୁ ବିଜେଡି, ଓଡ଼ିଶାର Senior Panelist ଭାବେ ସ୍ଥାନ ଦିଆଯାଇଥିବା ବେଳେ ଢେଙ୍କାନାଳର ପୂର୍ବତନ ସାଂସଦ ପ୍ରାର୍ଥୀ ତଥା ସମାଜସେବୀ ଡ଼ା. ଅବିନାଶ ସାମଲଙ୍କୁ Social Media Steering Committeeର ସଦସ୍ୟ ଭାବେ ମନୋନୀତ କରାଯାଇଛି।
ନୂଆ ଦାୟିତ୍ୱ ଘୋଷଣା ପରେ ଢେଙ୍କାନାଳ ଜିଲ୍ଲାର ବିଜେଡି ନେତା, କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଦଳୀୟ ସାଂଗଠନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବାରେ ଉଭୟଙ୍କ ନୂଆ ଭୂମିକା ଗୁରୁତ୍ୱ ବହନ କରିବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।
ସୁଧୀର ସାମଲଙ୍କୁ ସିନିୟର ପ୍ୟାନେଲିଷ୍ଟ ଭାବେ ଦାୟିତ୍ୱ ମିଳିଥିବାରୁ ଦଳୀୟ ପ୍ରସଙ୍ଗରେ ତାଙ୍କ ଅଭିଜ୍ଞତାର ଉପଯୋଗ ହେବାର ସୁଯୋଗ ସୃଷ୍ଟି ହୋଇଥିବା ବେଳେ ଡ଼ା. ଅବିନାଶ ସାମଲଙ୍କୁ ସୋସିଆଲ ମିଡିଆ ଷ୍ଟିୟରିଂ କମିଟିରେ ସାମିଲ କରାଯିବା ଦଳର ଡିଜିଟାଲ ଯୋଗାଯୋଗ କ୍ଷେତ୍ରରେ ତାଙ୍କ ଭୂମିକାକୁ ନୂଆ ଦିଗ ଦେଇଛି।
ଉଭୟ ନେତାଙ୍କ ନୂଆ ଦାୟିତ୍ୱକୁ ନେଇ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ନୂଆ ଦାୟିତ୍ୱକୁ ସେମାନେ ସଫଳତାର ସହ ନିର୍ବାହ କରିବେ ବୋଲି ଦଳୀୟ ନେତା ଓ କର୍ମୀମାନେ ଆଶାବ୍ୟକ୍ତ କରିଛନ୍ତି।
