ନବୀନ ନିବାସରେ ବିଜେଡିର ନୂଆ ମିଡିଆ ଟିମ୍
ଦଳୀୟ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସୋସିଆଲ ମିଡିଆ ରଣନୀତି ଉପରେ ଗୁରୁତ୍ୱ
ଭୁବନେଶ୍ୱର: ବିଜୁ ଜନତା ଦଳର ନବନିଯୁକ୍ତ ମିଡିଆ ଟିମ୍ ସୋମବାର ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନୂଆ ମିଡିଆ କୋଅର୍ଡିନେଟରଙ୍କ ସମେତ ସୋସିଆଲ ମିଡିଆ ଓ ଆଇଟି ସେଲ୍ର ସଦସ୍ୟମାନେ ଏହି ସାକ୍ଷାତକାରରେ ସାମିଲ ହୋଇଥିଲେ।
ସାକ୍ଷାତକାର ସମୟରେ ଦଳର ମିଡିଆ ଓ ଡିଜିଟାଲ ଯୋଗାଯୋଗକୁ ଆହୁରି ସକ୍ରିୟ କରିବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ବିଶେଷକରି ବିଭିନ୍ନ ରାଜ୍ୟ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଓ ଦଳର ବାର୍ତ୍ତାକୁ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଫୋକସ୍ କରାଯାଇଛି।
ବୈଠକ ପରେ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଦଳର ମିଡିଆ ଓ ସୋସିଆଲ ମିଡିଆ କାର୍ଯ୍ୟକଳାପକୁ କିପରି ଅଧିକ ସକ୍ରିୟ ଏବଂ ସୁସଂଗଠିତ କରାଯିବ, ସେନେଇ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ହୋଇଛି।
ଏହାସହ ବିଜେପି ସରକାରଙ୍କ ବିଭିନ୍ନ କାର୍ଯ୍ୟ ଓ ନିଷ୍ପତ୍ତିକୁ ନେଇ ବିଜେଡି ଉଠାଉଥିବା ପ୍ରସଙ୍ଗଗୁଡ଼ିକୁ ଲୋକଙ୍କ ସମ୍ମୁଖରେ ରଖିବାକୁ ନବୀନ ପଟ୍ଟନାୟକ ଦଳର ନୂଆ ମିଡିଆ ଟିମ୍କୁ ନିର୍ଦ୍ଦେଶ ଦେଇଥିବା ଅରୁଣ ସାହୁ ସୂଚନା ଦେଇଛନ୍ତି।
ନୂଆ ଟିମ୍କୁ ଦାୟିତ୍ୱ ମିଳିବା ପରେ ବିଜେଡିର ମିଡିଆ, ସୋସିଆଲ ମିଡିଆ ଓ ଆଇଟି ନେଟୱର୍କକୁ ଆହୁରି ସକ୍ରିୟ କରିବା ନେଇ ଦଳୀୟ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।
