ବିଦ୍ୟୁତ୍ ଖୁଣ୍ଟରେ ମରାମତି ବେଳେ ଅଘଟଣ: କରେଣ୍ଟ ଲାଗି ତଳେ ପଡ଼ିଲେ ଯୁବକ, ଅବସ୍ଥା ଗୁରୁତର
ବଅଁରପାଳ, ୧୪/୧୧: ବିଦ୍ୟୁତ୍ ଲାଇନ୍ ମରାମତି କାର୍ଯ୍ୟ ସମୟରେ ଘଟିଲା ଅଘଟଣ। ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ କରେଣ୍ଟ ଲାଗି ତଳକୁ ଖସିପଡ଼ି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ବଅଁରପାଳ ବ୍ଲକ୍ ଭାଗବତପୁର ଗ୍ରାମର ସିଦ୍ଧାନ୍ତ ସେଠୀ।
ସୂଚନା ଅନୁଯାୟୀ, ଗଡ଼ସନ୍ତ୍ରୀ ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍ ଲାଇନ୍ ମରାମତି କାର୍ଯ୍ୟ ଚାଲିଥିବା ବେଳେ ସିଦ୍ଧାନ୍ତ ଜଣେ ବିଦ୍ୟୁତ୍ ବିଭାଗର ଠିକାଦାରଙ୍କ ଅଧୀନରେ କାମ କରୁଥିଲେ। ଶନିବାର ଅପରାହ୍ନରେ ସେ ଏକ ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢ଼ି ମରାମତି କାର୍ଯ୍ୟ କରୁଥିବା ସମୟରେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତଳକୁ ଖସି ପଡ଼ିଥିଲେ।
ଘଟଣା ପରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ପଚରାଯିବାରୁ, ଏ ସମ୍ପର୍କରେ ସେମାନଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି। ଏଥିସହିତ, ମରାମତି କାର୍ଯ୍ୟ ପାଇଁ ସେମାନଙ୍କ ପକ୍ଷରୁ କୌଣସି ବିଦ୍ୟୁତ୍ ସରବରାହ ବନ୍ଦ (ସଟ୍ଡାଉନ୍) କରାଯାଇନଥିବା ସ୍ପଷ୍ଟ କରିଛନ୍ତି। କେଉଁ ପରିସ୍ଥିତିରେ ଏବଂ ବିନା ସୁରକ୍ଷା ବ୍ୟବସ୍ଥାରେ ଯୁବକ ଜଣକ କାମ କରୁଥିଲେ, ସେ ସମ୍ପର୍କରେ ମଧ୍ୟ ସେମାନେ ଅବଗତ ନଥିବା କହିଛନ୍ତି।
ଘଟଣାକୁ ନେଇ ବିଦ୍ୟୁତ୍ ମରାମତି କାର୍ଯ୍ୟରେ ସୁରକ୍ଷା ବ୍ୟବସ୍ଥା ଓ ଦାୟିତ୍ୱ ନିର୍ଦ୍ଧାରଣକୁ ନେଇ ପ୍ରଶ୍ନ ଉଠିଛି।
