Spread the love

ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି, ୧୧ରେ ହେବ ବିଭିନ୍ନ କାର୍ଯ୍ୟକ୍ରମ

ବାଲିଗୁଡ଼ା, ୯/୧୧ :(ସୁଶୀଳ କୁମାର ପାଣିଗ୍ରାହୀ): ବିଶିଷ୍ଟ ସମାଜସେବୀ, ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୧ତମ ଜୟନ୍ତୀ ଆସନ୍ତା ୧୧ ନଭେମ୍ବର ବୁଧବାର ଦିନ ପାଳନ କରାଯିବ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଦିନବ୍ୟାପୀ ବିଭିନ୍ନ ସ୍ମୃତିଚାରଣ, ଶ୍ରଦ୍ଧାଞ୍ଜଳି, ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସ୍ୱର୍ଗତ ପଟ୍ଟନାୟକ ଙ୍କ ଜନ୍ମଜୟନ୍ତୀ ଅବସରରେ ସକାଳ ରୁ ବୈତାଳିକ ପ୍ରାର୍ଥନା ସହ କାର୍ଯ୍ୟକ୍ରମ ଆରମ୍ଭ ହେବ। ପରେ ତାଙ୍କ ସ୍ମୃତିଚାରଣ ଓ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯିବ। ପୂର୍ବାହ୍ନ ୧୦ଟା ୩୦ରେ ସାଧାରଣ ସଭା ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହେବ। ଏଥିସହ ମଧ୍ୟାହ୍ନରେ ସାମୂହିକ ଭୋଜନ, ଅପରାହ୍ନରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ, ସର୍ବଧର୍ମ ପ୍ରାର୍ଥନା ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ର ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ଉଦଘାଟିକା ଭାବେ କଟକ ରୁ ସର୍ବୋଦୟ ନେତ୍ରୀ ତଥା ସଭାନେତ୍ରୀ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ର ଶ୍ରୀମତୀ କ୍ରୀଷ୍ଣା ମହାନ୍ତି, ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ଏକାମ୍ର ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରାଧାପକ ଡଃ. ଲଳିତ ଲେଙ୍କା, ସମ୍ମାନନୀୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ବେହେରା, କନ୍ଧମାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଶ୍ରୀ ପି. ପଦ୍ମା, କନ୍ଧମାଳ ଶିଶୁମଙ୍ଗଳ ସମିତି ର ଅଧକ୍ଷ ରତ୍ନେଶ୍ୱର ସାହୁ, କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରନ୍ ପ୍ରମୁଖ ଆତିଥ୍ୟ ଗ୍ରହଣ କରିବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସମାଜ ପାଇଁ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯିବ। ରାଜ୍ୟ ସ୍ତରୀୟ ସମ୍ମାନିତ ପ୍ରତିଭା ମଧ୍ୟରେ ୧୪ ତମ ଆଜ୍ଞା ସେବା ସମ୍ମାନ ରାୟଗଡା ଜିଲ୍ଲାର ଜଳନ୍ଧର ପୁଷିକା ଙ୍କୁ , ୨୧ ତମ ଆଚାର୍ଯ୍ୟ ହରିହର-ଗୋପବନ୍ଧୁ ଚୌଧୁରୀ ସ୍ମାରକ ସମ୍ମାନ ଅନୁଗୁଳ ଜିଲ୍ଲାର ଶିବରାମ ମିଶ୍ର ଙ୍କୁ ଏବଂ ୨୧ତମ ମା ‘ରମାଦେବୀ-ମାଳତୀ ଚୌଧୁରୀ ସ୍ମାରକ ସମ୍ମାନ ଭୁବନେଶ୍ୱର ର ଶ୍ରୀମତୀ ଶୁଭଶ୍ରୀ ଦାସ ଙ୍କୁ ସମ୍ମାନିତ କରାଯିବ l ସ୍ୱର୍ଗତ ପଟ୍ଟନାୟକଙ୍କ ତ୍ୟାଗ, ସେବା, ନିଷ୍ଠା ଓ ମାନବିକତାର ଆଦର୍ଶକୁ ସ୍ମରଣ କରିବା ସହ ତାଙ୍କ ଦେଖାଇଥିବା ସେବା ଓ ସମାଜ କଲ୍ୟାଣର ମାର୍ଗକୁ ଆଗକୁ ନେବା ଏହି ଜୟନ୍ତୀ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଜୟନ୍ତୀ ସମାରୋହରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସମସ୍ତ ଶୁଭେଚ୍ଛୁ, ବୁଦ୍ଧିଜୀବୀ, ସମାଜସେବୀ ଓ ଅଞ୍ଚଳବାସୀଙ୍କୁ ନିମନ୍ତ୍ରଣ କରାଯାଇଛି l

Leave a Reply

Your email address will not be published. Required fields are marked *