### ଭାରତର ନାଭିଗେସନ୍ ବ୍ୟବସ୍ଥାକୁ ମିଳିବ ନୂଆ ଶକ୍ତି, ମହାକାଶକୁ ଯିବ ନୂତନ ନାଭିଗେସନ୍ ଉପଗ୍ରହ NVS-03
\*\*ନୂଆଦିଲ୍ଲୀ: \*\* ମହାକାଶ କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଭାରତ। ନିଜସ୍ୱ ଉପଗ୍ରହ ନାଭିଗେସନ୍ ବ୍ୟବସ୍ଥା ‘ନାଭିକ୍’ (NavIC)କୁ ଆହୁରି ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ନୂତନ ନାଭିଗେସନ୍ ଉପଗ୍ରହ NVS-03 ଉତ୍କ୍ଷେପଣ ପାଇଁ ପ୍ରସ୍ତୁତି କରିଛି।
ଏହି ଅଭିଯାନ ପାଇଁ GSLV-F18 ରକେଟ୍ର ବ୍ୟବହାର କରାଯିବ। ଏହା ମାଧ୍ୟମରେ ନାଭିକ୍ର ଦ୍ୱିତୀୟ ପିଢ଼ିର ତୃତୀୟ ଉପଗ୍ରହ NVS-03କୁ ମହାକାଶରେ ଅବସ୍ଥାପିତ କରାଯିବ। ଉପଗ୍ରହଟିକୁ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ ଅର୍ବିଟ୍ (GTO)ରେ ସ୍ଥାପନ କରିବା ଯୋଜନା ରହିଛି।
ଏହି ନୂତନ ଉପଗ୍ରହ ସଫଳତାର ସହ କାର୍ଯ୍ୟକ୍ଷମ ହେଲେ ଭାରତର ନିଜସ୍ୱ ଅବସ୍ଥିତି ନିର୍ଣ୍ଣୟ ଓ ଦିଗ ନିର୍ଦ୍ଦେଶନା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ। ଏହା ଦ୍ୱାରା ଯାନବାହନ ଚଳାଚଳ, ନୌପରିବହନ, ବିମାନ ଚଳାଚଳ, ଜରୁରୀକାଳୀନ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉନ୍ନତ ନାଭିଗେସନ୍ ସେବା ମିଳିବାରେ ସହାୟତା ମିଳିବ।
ବିଦେଶୀ ନାଭିଗେସନ୍ ବ୍ୟବସ୍ଥା ଉପରେ ନିର୍ଭରଶୀଳତା କମାଇ ଭାରତକୁ ନିଜସ୍ୱ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଅଧିକ ସକ୍ଷମ କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଉତ୍କ୍ଷେପଣ ସଫଳ ହେଲେ ଭାରତର ସ୍ୱଦେଶୀ ଉପଗ୍ରହ ନାଭିଗେସନ୍ ବ୍ୟବସ୍ଥାକୁ ଏକ ନୂଆ ଦିଗ ମିଳିବ।
