Spread the love

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ଶପଥ ନେଲେ ଅଧିକାରୀ ଓ କର୍ମଚାରୀ

ଭୁବନେଶ୍ୱର, ୩୧ ଅକ୍ଟୋବର ୨୦୨୬: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ସାରା ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି। କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଏକତା ଦିବସର ଶପଥ ପାଠ କରି ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା କରିବା ପାଇଁ ସଂକଳ୍ପ ନେଇଛନ୍ତି।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନକୁ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଏ। ସ୍ୱାଧୀନତା ପରେ ଦେଶର ବିଭିନ୍ନ ଗଡ଼ଜାତ ରାଜ୍ୟକୁ ଭାରତ ସହ ମିଶ୍ରଣ କରି ଏକ ସଂଘବଦ୍ଧ ରାଷ୍ଟ୍ର ଗଠନ କରିବାରେ ପଟେଲଙ୍କ ଅବଦାନ ଅତୁଳନୀୟ। ତାଙ୍କର ଦୃଢ଼ ନେତୃତ୍ୱ, ଦେଶପ୍ରେମ ଓ ଜାତୀୟ ସଂହତି ପ୍ରତି ସମର୍ପଣ ଆଜି ମଧ୍ୟ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି।

ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ନାଗରିକଙ୍କ ଦାୟିତ୍ୱବୋଧକୁ ଅଧିକ ସୁଦୃଢ଼ କରିବା। ଜାତି, ଧର୍ମ, ଭାଷା ଓ ଅଞ୍ଚଳଗତ ଭିନ୍ନତା ସତ୍ତ୍ୱେ ଭାରତୀୟମାନେ ଏକତାର ସୂତ୍ରରେ ବାନ୍ଧି ହୋଇ ରହିବା ସହ ଦେଶର ଅଖଣ୍ଡତା ରକ୍ଷା କରିବା ଏହି ଦିବସର ମୂଳ ବାର୍ତ୍ତା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ଶପଥ ପାଠ କାର୍ଯ୍ୟକ୍ରମ ମାଧ୍ୟମରେ ରାଷ୍ଟ୍ରୀୟ ଏକତା ଓ ଦେଶର ସାର୍ବଭୌମତ୍ୱ ପ୍ରତି ସମସ୍ତଙ୍କ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଯାଇଛି।

ରାଷ୍ଟ୍ରୀୟ ଏକତା ହିଁ ଦେଶର ଶକ୍ତି। ଏକତା, ଅଖଣ୍ଡତା ଓ ଭାଇଚାରାର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ।

Leave a Reply

Your email address will not be published. Required fields are marked *