ମୁମ୍ବାଇରେ ଅଭିନେତା ଟାଇଗର ଶ୍ରଫଙ୍କ କାର୍କୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଅଭିନେତା
ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କୁ ନେଇ ମୁମ୍ବାଇର ଜୁହୁ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଜୁହୁସ୍ଥିତ ପୁଷ୍ପା ପାର୍କ ନିକଟରେ ତାଙ୍କ କାର୍କୁ ଲକ୍ଷ୍ୟ କରି ଗୁଳିମାଡ଼ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ତେବେ ଟାଇଗର ଶ୍ରଫ ଏହି ଘଟଣାରେ ସୁରକ୍ଷିତ ଥିବା ସୂଚନା ମିଳିଛି।
ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ବାଇକ୍ରେ ଆସିଥିବା ତିନି ଜଣ ଅଜଣା ବ୍ୟକ୍ତି ଗୁଳି ଚଳାଇଥିବା କୁହାଯାଉଛି। ଏହି ଘଟଣାରେ ଅଭିନେତାଙ୍କ ଡ୍ରାଇଭରଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିବା ନେଇ ମଧ୍ୟ ଖବର ଆସିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍କୁ ନିଆଯାଇଥିବା ସୁଚନା ରହିଛି।
ଘଟଣା ପରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ପରିଚୟ, ଗୁଳିମାଡ଼ର ଉଦ୍ଦେଶ୍ୟ ଏବଂ ଘଟଣା ପଛରେ କାହାର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଚାଲିଛି। ତେବେ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକାରିକ ଭାବେ ସମସ୍ତ ତଥ୍ୟ ସ୍ପଷ୍ଟ ହୋଇନାହିଁ।
