Spread the love

ରାଜସ୍ୱ ପର୍ଷଦଙ୍କ ଅଧୀନସ୍ଥ ଚକବନ୍ଦୀ କମିଶନର୍‌ଙ୍କ ଐତିହାସିକ ରାୟ: ମହାପ୍ରଭୁଙ୍କ ୬୦୦ କୋଟି ଟଙ୍କାର ଜମି ରେକର୍ଡ ସଂଶୋଧନ, ବିବାଦୀୟ ପଟ୍ଟା ରଦ୍ଦ

ପୁରୀ: ରାଜ୍ୟରେ ଧାର୍ମିକ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଦିଗରେ ଏକ ବଡ଼ ତଥା ଐତିହାସିକ ସଫଳତା ମିଳିଛି। ରାଜସ୍ୱ ପର୍ଷଦ, ଓଡ଼ିଶାଙ୍କ ଅଧୀନରେ କାର୍ଯ୍ୟରତ ଚକବନ୍ଦୀ ଆୟୁକ୍ତ (କମିଶନର୍) ଶ୍ରୀ ପ୍ରବୀର କୁମାର ନାୟକଙ୍କ ନ୍ୟାୟାଳୟ ପୁରୀ ତହସିଲ ଅନ୍ତର୍ଗତ ଶଙ୍କରପୁର ମୌଜାର ପ୍ରାୟ ୨୯ ଏକର (୨୮.୮୪୦ ଏକର) ବହୁମୂଲ୍ୟ ଜମିର ବିବାଦୀୟ ରେକର୍ଡକୁ ରଦ୍ଦ କରିଛନ୍ତି। ଏଥିସହ ଉକ୍ତ ଜମିକୁ ତୁରନ୍ତ ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ, ମାର୍ଫତ୍ ମନ୍ଦିର ପରିଚାଳନା କମିଟି’ଙ୍କ ନାମରେ ରେକର୍ଡ କରିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓମ୍‌କାରେଶ୍ୱର ମନ୍ଦିର ସଂଲଗ୍ନ ଏହି ମୂଲ୍ୟବାନ ଜମିର ବର୍ତ୍ତମାନ ଆନୁମାନିକ ବଜାର ମୂଲ୍ୟ ୬୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି।

କ’ଣ ଥିଲା ମାମଲାର ପୃଷ୍ଠଭୂମି? ଶଙ୍କରପୁର ମୌଜାର ହାଲ୍ ଖାତା ନଂ. ୪୧୧ରେ ଥିବା ଏହି ଜମିକୁ ୧୯୬୨-୬୩ ମସିହାର ପ୍ରାରମ୍ଭିକ ସାବକ ବନ୍ଦୋବସ୍ତ ସମୟରେ ତତ୍କାଳୀନ ମହନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ। ୧୯୭୭ ମସିହାରେ ପ୍ରକାଶିତ ସାବକ ରେକର୍ଡ ଏବଂ ପରବର୍ତ୍ତୀ ଚକବନ୍ଦୀ ରେଜିଷ୍ଟରରେ ଏହା ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାରଫତ ଉତ୍ତର ପାର୍ଶ୍ୱ ମଠ ଏଣ୍ଡାଓମେଣ୍ଟ ଟ୍ରଷ୍ଟ ବୋର୍ଡ, ପୁରୀ’ଙ୍କ ନାମରେ ରହିଥିଲା।

ମାତ୍ର ୨୦୧୦ ମସିହାରେ ଆର୍‌.ଆର୍‌.ସି. ମାମଲା ନଂ. ୬୬/୨୦୧୦ ବଳରେ ତତ୍କାଳୀନ ଅତିରିକ୍ତ ଉପଜିଲ୍ଲାପାଳଙ୍କ ଏକ ଆଦେଶ ଜରିଆରେ ଚଞ୍ଚକତା କରାଯାଇ ମାତ୍ର ୨୬ ଦିନ ମଧ୍ୟରେ ମନ୍ଦିର ପ୍ରଶାସନର ଅଗୋଚରରେ ମହାପ୍ରଭୁଙ୍କ ନାମ ହଟାଇ ଉକ୍ତ ଜମିକୁ ମହନ୍ତଙ୍କ ନାମରେ ରେକର୍ଡ କରାଯାଇଥିଲା। ୨୦୧୩ରେ ଏହାର ପଟ୍ଟା ମଧ୍ୟ ମହନ୍ତଙ୍କ ନାମରେ ପ୍ରସ୍ତୁତ ହୋଇଥିଲା। ଏହି ଅନିୟମିତତା ପାଇଁ ସମ୍ପୃକ୍ତ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ପରବର୍ତ୍ତୀ ସମୟରେ ନିଲମ୍ବିତ ମଧ୍ୟ କରାଯାଇଥିଲା।

ମନ୍ଦିର ପ୍ରଶାସନର ଆଇନଗତ ଲଢ଼େଇ: ଏହି ବେଆଇନ ହାଲ୍ ପଟ୍ଟାକୁ ଚ୍ୟାଲେଞ୍ଜ କରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଚକବନ୍ଦୀ ଆୟୁକ୍ତଙ୍କ କୋର୍ଟରେ ଏକ ମାମଲା (ଓ.ଏସ୍.ଏସ୍. କେସ୍ ନଂ. ୩୦୩/୨୦୧୬) ଦାୟର କରାଯାଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ରୀ ଅମ୍ବିକା ପ୍ରସାଦ ମିଶ୍ର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚ ନ୍ୟାୟାଳୟଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୁଲିଂ ଉପସ୍ଥାପନ କରି ବଳିଷ୍ଠ ଯୁକ୍ତି ଦର୍ଶାଇଥିଲେ।

ନ୍ୟାୟାଳୟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ: ମାମଲାର ଶୁଣାଣି ବେଳେ ଚକବନ୍ଦୀ ଆୟୁକ୍ତ ପୂର୍ବ ନିଷ୍ପତ୍ତିରେ ଗୁରୁତର ତ୍ରୁଟି ଥିବା ଦର୍ଶାଇଥିଲେ। ମାତ୍ର ୨୬ ଦିନ ମଧ୍ୟରେ ବିନା ନୋଟିସ୍‌ରେ ଏବଂ ଶ୍ରୀମନ୍ଦିର ପ୍ରଶାସକ ତଥା ଦେବୋତ୍ତର ଆୟୁକ୍ତଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ନ ଦେଇ ଏକତରଫା ଭାବେ ଜମି ହସ୍ତାନ୍ତର କରାଯାଇଥିବାରୁ ଏହା ପ୍ରାକୃତିକ ନ୍ୟାୟର ଉଲ୍ଲଂଘନ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ। ଆଇନ ଦୃଷ୍ଟିରେ “ଦେବତା ହେଉଛନ୍ତି ଜଣେ ଚିରନ୍ତନ ନାବାଳକ (Perpetual Minor)”, ତେଣୁ ତାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଆଇନଗତ ପ୍ରକ୍ରିୟାର କଡ଼ାକଡ଼ି ପାଳନ ଅତ୍ୟାବଶ୍ୟକ ବୋଲି ରାୟରେ ଗୁରୁତ୍ୱାରୋପ କରାଯାଇଛି।

ସମସ୍ତ ଐତିହାସିକ ଦଲିଲ ଓ ପ୍ରମାଣକୁ ଆଧାର କରି ନ୍ୟାୟାଳୟ ପୂର୍ବ ବେଆଇନ ରେକର୍ଡକୁ ରଦ୍ଦ କରି ମହାପ୍ରଭୁଙ୍କ ନାମରେ ଜମି ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସକ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ମଧ୍ୟ ମହାପ୍ରଭୁଙ୍କ ସମସ୍ତ ସମ୍ପତ୍ତିର ସୁରକ୍ଷା ପାଇଁ କଡ଼ା ଆଇନଗତ ପଦକ୍ଷେପ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି। ଏହି ଐତିହାସିକ ରାୟକୁ ନେଇ ସମଗ୍ର ରାଜ୍ୟର ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *