Spread the love

ରାସନ ଦୋକାନରେ ଘରୋଇ ଡିଲରଙ୍କ ବଦଳରେ ସଂସ୍ଥା ନିଯୁକ୍ତି ଅବଧି ବଢ଼ିଲା

୩୦ ସେପ୍ଟେମ୍ବର ୨୦୨୭ ପର୍ଯ୍ୟନ୍ତ ମିଳିଲା ସମୟ, କ୍ୟାବିନେଟ୍‌ର ଅନୁମୋଦନ

ଭୁବନେଶ୍ୱର, ୧୦/୧୧: ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS)କୁ ବାଧାମୁକ୍ତ ଓ ସୁଚାରୁ ଭାବେ ଚାଲୁ ରଖିବା ପାଇଁ ଘରୋଇ ରାସନ ଡିଲରଙ୍କ ସ୍ଥାନରେ ଅନୁଷ୍ଠାନିକ ସଂସ୍ଥା ନିଯୁକ୍ତି ପ୍ରକ୍ରିୟାର ସମୟସୀମାକୁ ଆଉ ଏକ ବର୍ଷ ବୃଦ୍ଧି କରାଯାଇଛି। ଏହି ଅବଧିକୁ ୩୦ ସେପ୍ଟେମ୍ବର ୨୦୨୭ ପର୍ଯ୍ୟନ୍ତ ବଢ଼ାଇବା ସଂକ୍ରାନ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରେସ୍ ବ୍ରିଫ୍ ଅନୁଯାୟୀ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA), ୨୦୧୩ ଅନୁସାରେ ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ପରିଚାଳନା ପାଇଁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ ପ୍ରଣୟନ କରାଯାଇଛି। ଏହି ଆଦେଶ ଅନୁଯାୟୀ ରାଜ୍ୟରେ ରାସନ ବଣ୍ଟନ ସମ୍ପର୍କିତ ସମସ୍ତ କାର୍ଯ୍ୟ ପରିଚାଳିତ ହେଉଛି।

ବର୍ତ୍ତମାନ ରାଜ୍ୟରେ ମୋଟ ୧୧,୭୦୬ଟି ସୁଲଭ ମୂଲ୍ୟ ଦୋକାନ (Fair Price Shop) ମାଧ୍ୟମରେ ରାସନ ବଣ୍ଟନ କରାଯାଉଛି। ଏଥିରୁ ୪,୯୬୩ଟି ଘରୋଇ ଡିଲର, ୪,୦୨୬ଟି ଗ୍ରାମ ପଞ୍ଚାୟତ, ୨,୨୫୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ୧୯୧ଟି ସ୍ୱୟଂ ସହାୟକ ଗୋଷ୍ଠୀ, ୨୪୨ଟି ସମବାୟ ସଂସ୍ଥା ଏବଂ ୨୮ଟି ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି।

ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ପ୍ରଚଳିତ ସଂଶୋଧିତ ବ୍ୟବସ୍ଥାର ବୈଧତା ୩୦ ସେପ୍ଟେମ୍ବର ୨୦୨୬ରେ ଶେଷ ହେବାକୁ ଥିଲା। ଏହି ସମୟରେ ସମସ୍ତ ଘରୋଇ ଡିଲରଙ୍କୁ ଏକାଥରେ ବଦଳାଇ ନୂତନ ଅନୁଷ୍ଠାନିକ ସଂସ୍ଥା ନିଯୁକ୍ତ କରିବା ଦ୍ୱାରା ପ୍ରଶାସନିକ ଅସୁବିଧା ସୃଷ୍ଟି ହେବା ସହ ରାସନ ବଣ୍ଟନ ବ୍ୟବସ୍ଥା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଥିଲା।

ଏହାକୁ ଦୃଷ୍ଟିରେ ରଖି ୨୦୧୬ ମସିହାର ନିୟନ୍ତ୍ରଣ ଆଦେଶର ଧାରା ୪(୬)ରେ ସଂଶୋଧନ କରାଯାଇଛି। ଏହାଦ୍ୱାରା ଘରୋଇ ଡିଲରଙ୍କ ସ୍ଥାନରେ ଅନୁଷ୍ଠାନିକ ସଂସ୍ଥା ନିଯୁକ୍ତି ପ୍ରକ୍ରିୟା ପାଇଁ ନୂତନ ସମୟସୀମା ୩୦ ସେପ୍ଟେମ୍ବର ୨୦୨୭ ଧାର୍ଯ୍ୟ କରାଯାଇଛି।

ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ରାସନ ବଣ୍ଟନ ପ୍ରକ୍ରିୟାର ନିରନ୍ତରତା ବଜାୟ ରହିବା ସହ ନୂତନ ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଲାଗୁ କରିବା ପାଇଁ ପ୍ରଶାସନକୁ ଅଧିକ ସମୟ ମିଳିବ।

Leave a Reply

Your email address will not be published. Required fields are marked *