Spread the love

ଜାତୀୟ ରାଜଧାନୀ ଦିଲ୍ଲୀରେ ରେଖା ସରକାର ନୂଆ ନିୟମ ଲାଗୁ କରିଛନ୍ତି। ଯାହା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀମାନେ ସରକାରୀ ଅର୍ଥରେ ଦାମୀ ମୋବାଇଲ୍ ଫୋନ୍ କିଣିପାରିବେ । ଏହାସହିତ ସେମାନଙ୍କ ବାସଭବନରେ ଥିବା ଲ୍ୟାଣ୍ଡଲାଇନ୍ ବିଲର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ । ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି କରାଯାଇଥିବା ନୂତନ ନିୟମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବର୍ତ୍ତମାନ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ କିଣିପାରିବେ ।

ଯେତେବେଳେ କି କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ପାଇଁ ଏହି ସୀମା ଲକ୍ଷେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି । ଏହା ୨୦୧୩ ମସିହାର ଏକ ଦଶନ୍ଧି ପୁରୁଣା ସର୍କୁଲାରକୁ ବଦଳାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ୫୦,୦୦୦ ଟଙ୍କା ଏବଂ ମନ୍ତ୍ରୀମାନଙ୍କ ପାଇଁ ୪୫,୦୦୦ ଟଙ୍କାର ସୀମା ଥିଲା । ସରକାରଙ୍କ କହିବା ଅନୁଯାୟୀ, ବରିଷ୍ଠ ଅଧିକାରୀମାନଙ୍କୁ ଆଧୁନିକ ଯୋଗାଯୋଗ ଉପକରଣ ଯୋଗାଇଦେବା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି ।ଏହି ନୂତନ ନିୟମ କେବଳ ମୁଖ୍ୟମନ୍ତ୍ରୀ କି ମନ୍ତ୍ରୀମାନଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ବରିଷ୍ଠ ଅଧିକାରୀମାନଙ୍କ ପାଇଁ ମଧ୍ୟ ଲାଗୁ ହୋଇଛି । ମୁଖ୍ୟ ସଚିବ ବର୍ତ୍ତମାନ ୮୦,୦୦୦ ରୁ ୧ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ କିଣିପାରିବେ । ଯାହାର ପୂର୍ବ ସୀମା ୩୦,୦୦୦ ରୁ ୪୦,୦୦୦ ଟଙ୍କା ଥିଲା । ନିୟମ ଅନୁସାରେ କିଣାଯାଇଥିବା ମୋବାଇଲ୍ ଫୋନ୍ ସାଧାରଣତଃ ଦୁଇ ବର୍ଷ ମଧ୍ୟରେ ବଦଳାଯାଇ ପାରିବ ନାହିଁ । ଯଦି ମରାମତି ଖର୍ଚ୍ଚ ଫୋନର ମୂଳ ମୂଲ୍ୟର ୫୦% ରୁ ଅଧିକ ହୁଏ, ତେବେ ଏହାକୁ ବଦଳାଇବା ପାଇଁ ଅନୁମତି ଦିଆଯିବ ।

Leave a Reply

Your email address will not be published. Required fields are marked *

You missed