ଲାଞ୍ଜିଗଡ଼ ଶିକ୍ଷା ବିଭାଗର ପ୍ରଗତିରେ ଯୋଡ଼ିହେଲା ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ
ଶୈକ୍ଷିକ ବିକାଶ ସହ କ୍ରୀଡ଼ା ଓ ସହଶୈକ୍ଷିକ ଦକ୍ଷତା ବିକାଶକୁ ଗୁରୁତ୍ୱ – ଶିକ୍ଷକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଖେଳୁଆଡ଼ ଉତ୍ସାହ
ଲାଞ୍ଜିଗଡ଼ : (ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ )ଶିକ୍ଷା କେବଳ ପାଠ୍ୟପୁସ୍ତକ, ପରୀକ୍ଷା ଓ ମୂଲ୍ୟାୟନ ମଧ୍ୟରେ ସୀମିତ ନୁହେଁ; ବରଂ ଶାରୀରିକ ସୁସ୍ଥତା, ମାନସିକ ଦୃଢ଼ତା, ଶୃଙ୍ଖଳା, ନେତୃତ୍ୱ ଓ ଦଳଗତ ମନୋଭାବର ବିକାଶ ମଧ୍ୟ ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହି ମହତ୍ ଉଦ୍ଦେଶ୍ୟକୁ ସାକାର କରିବା ସହ ଶୈକ୍ଷିକ ବିକାଶ ସହିତ ଶିକ୍ଷକମାନଙ୍କ ମଧ୍ୟରେ କ୍ରୀଡ଼ା ଓ ସହଶୈକ୍ଷିକ ଦକ୍ଷତାର ବିକାଶ ନିମନ୍ତେ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗର ଏକ ଅଭିନବ ପ୍ରୟାସ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି।
ଲାଞ୍ଜିଗଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବ୍ଲକର ସମସ୍ତ ତେରଟି କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ମିଳିତ ଉଦ୍ୟମ, ସମନ୍ୱୟ ଓ ସହଯୋଗରେ ବ୍ଲକସ୍ତରୀୟ ଶିକ୍ଷକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏହି ଆୟୋଜନ କେବଳ ଏକ କ୍ରୀଡ଼ା ପ୍ରତିଯୋଗିତା ନୁହେଁ, ବରଂ ଶିକ୍ଷକ ସମାଜ ମଧ୍ୟରେ ଏକତା, ଭାଇଚାରା, ପାରସ୍ପରିକ ସମ୍ପର୍କ ଓ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରିବାର ଏକ ଅନନ୍ୟ ପ୍ରୟାସ।
ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୁଷିଆ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶଶାଙ୍କ ପାତ୍ର, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡକ୍ଟର ହୃଷୀକେଶ ନାଏକ ଏବଂ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୀବ ନାଏକ ଓ ସମାଜସେବୀ ଶ୍ରୀଯୁକ୍ତ ତୁଳସୀ ମାଝୀ ଯୋଗଦେଇଥିଲେ।
ଅତିଥିବୃନ୍ଦଙ୍କ ଉପସ୍ଥିତିରେ ମ୍ୟାଚ୍ର ଶୁଭାରମ୍ଭ ହେବା ସହ ଖେଳପଡ଼ିଆରେ ସୃଷ୍ଟି ହୋଇଥିଲା ଉତ୍ସାହ ଓ ଉଦ୍ଦୀପନାର ଏକ ନିଆରା ପରିବେଶ। ବ୍ଲକର ବିଭିନ୍ନ କ୍ଲଷ୍ଟରର ଶିକ୍ଷକମାନେ ନିଜ ନିଜ ଦଳର ପ୍ରତିନିଧିତ୍ୱ କରି ଖେଳୁଆଡ଼ ମନୋଭାବ, ଦଳଗତ ସମନ୍ୱୟ ଓ କ୍ରୀଡ଼ା ନୈପୁଣ୍ୟର ପରିଚୟ ଦେଇଥିଲେ।
ପ୍ରଥମ ପର୍ଯ୍ୟାୟରେ ବିଶ୍ୱନାଥପୁର ସହିତ ବିଜେପୁର, କାନକୁଟ୍ରୁ ସହିତ ହରେକୃଷ୍ଣପୁର, ଲାଞ୍ଜିଗଡ଼ ରୋଡ୍ ସହିତ ମସ୍କାଗୁଡ଼ା, ପେଙ୍ଗଶୁର ସହିତ ଲାଞ୍ଜିଗଡ଼, ଭଟାଙ୍ଗପଦର ସହିତ ଗୋବର୍ଦ୍ଧନପୁର ଏବଂ ମାଳିଯୁବାଙ୍ଗ ସହିତ ବନ୍ଧପାରୀ କ୍ଲଷ୍ଟର ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ଏହି ମ୍ୟାଚ୍ଗୁଡ଼ିକରେ ବିଶ୍ୱନାଥପୁର, ହରେକୃଷ୍ଣପୁର, ଲାଞ୍ଜିଗଡ଼ ରୋଡ୍, ଲାଞ୍ଜିଗଡ଼, ଗୋବର୍ଦ୍ଧନପୁର ଓ ମାଳିଯୁବାଙ୍ଗ କ୍ଲଷ୍ଟର ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ।
ଏହି ଆୟୋଜନକୁ ସଫଳ ଓ ସୁସଂଗଠିତ କରିବାରେ ନୋଡାଲ୍ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଦୁଃଖିଶ୍ୟାମ ବାରିକଙ୍କ ସମେତ ଶିବରାମ ପ୍ରଧାନ, ମନୋଜ କୁମାର ସାହୁ, ସୁଶାନ୍ତ କୁମାର ବେହେରା, ବିଭୂତି ଭୂଷଣ ହରିଜନ, ଶ୍ରବଣ କୁମାର ସରାଫ, ଟଙ୍କଧର ବାଗ, ସଞ୍ଜୀବ ସାହୁ, ଜଳନ୍ଧର ମାଝୀ, କୁମାର ଗୌରବ ପରିଡ଼ା, ହିମାଂଶୁ ଶେଖର ମେହେର, ବିନୋଦ ମହାରଣା, ରାକେଶ ମିଶ୍ର, ଝସକେତନ ଘଡ଼େଇ, ଚରଣ ଗଉଡ଼, ସଞ୍ଜିତ ସାହୁ, ସୁଶାନ୍ତ ମାଝୀ, ହୀନା ପଟ୍ଟନାୟକ, ବସନ୍ତ ମଞ୍ଜରୀ ପୃଷ୍ଟି, ଜ୍ୟୋତିର୍ମୟୀ କାଞ୍ଚନବାଲା ମହାରଣା ଓ ନନ୍ଦକିଶୋର ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ତପନ କୁମାର ଭୋଇ ଓ ଶ୍ରୀଯୁକ୍ତ ଲଳିତ ମୋହନ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ତ୍ରିନାଥ ଶ୍ୟାମକୁମାରଙ୍କ ସମେତ ଅନ୍ୟ ଶିକ୍ଷକ ବନ୍ଧୁମାନେ ମ୍ୟାଚ୍ର ଧାରାବିବରଣୀ ପ୍ରଦାନ କରି ଖେଳର ରୋମାଞ୍ଚକୁ ଆହୁରି ଦ୍ୱିଗୁଣିତ କରିଥିଲେ।
ସମଗ୍ର ଆୟୋଜନରେ ଶିକ୍ଷକମାନଙ୍କ ମଧ୍ୟରେ ଥିବା ଉତ୍ସାହ, ଉଦ୍ୟମ ଓ ସାମୂହିକ ସହଯୋଗ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି। ଏହା ପ୍ରମାଣିତ କରିଛି ଯେ ଶିକ୍ଷା ବିଭାଗ କେବଳ ବିଦ୍ୟାଳୟର ଶୈକ୍ଷିକ ମାନ ବୃଦ୍ଧିରେ ନୁହେଁ, ବରଂ ଶିକ୍ଷକମାନଙ୍କ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ ଓ ସୁସ୍ଥ କାର୍ଯ୍ୟପରିବେଶ ଗଠନରେ ମଧ୍ୟ ସମାନ ଭାବରେ ଗୁରୁତ୍ୱ ଦେଉଛି।
ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ୍କୁ ନେଇ ଏବେଠାରୁ ଶିକ୍ଷକ, ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଓ ଉତ୍ସାହ ପ୍ରକାଶ ପାଇଛି। କିଏ ହେବ ଏହି ପ୍ରଥମ ବ୍ଲକସ୍ତରୀୟ ଶିକ୍ଷକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ବିଜେତା, ତାହା ଜାଣିବାକୁ ସମସ୍ତେ ଅପେକ୍ଷା କରିଛନ୍ତି।
