Spread the love

### ଶିଖରଚଣ୍ଡିରେ ଭୟଙ୍କର ଦୁର୍ଘଟଣା: ବୁଲେଟ୍‌କୁ ୫୦ ମିଟର ଘୋଷାଡ଼ି ନେଲା କ୍ରେଟା, ୩ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ପୁଣି ମାତାଲ ଗାଡ଼ି ଚାଳକଙ୍କ ଆତଙ୍କ। ଦ୍ରୁତଗତିରେ ଆସି ଏକ ବୁଲେଟ୍‌କୁ ଧକ୍କା ଦେବା ପରେ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ହୁଣ୍ଡାଇ କ୍ରେଟା କାର୍। ଶିଖରଚଣ୍ଡି ନିକଟରେ ଘଟିଥିବା ଏହି ଭୟାବହ ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଶିଖରଚଣ୍ଡି ନିକଟରେ ଏକ କ୍ରେଟା କାର୍ ଦ୍ରୁତଗତିରେ ଆସି ବୁଲେଟ୍‌କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ପରେ ବୁଲେଟ୍‌ଟି କାର୍‌ରେ ଲାଗି ରହିଥିବାବେଳେ ଗାଡ଼ିଟି ତାହାକୁ ପ୍ରାୟ ୫୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା। ଏହି ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ କାର୍‌ ଚାଳକ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ପିଛା କରି ଅଟକାଇଥିଲେ। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କାର୍‌ଟିକୁ ଘେରିଯାଇ ଇଟା ଓ ପଥରରେ ଆକ୍ରମଣ କରି ଭାଙ୍ଗି ଦେଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ପୁଲିସ ଉପସ୍ଥିତିରେ ମଧ୍ୟ କିଛି ସମୟ ଧରି ଭଙ୍ଗାରୁଜା ଜାରି ରହିଥିଲା।

ଖବର ପାଇ ଜୋନ୍‌-୬ ଏସିପି, ଇନ୍‌ଫୋସିଟି ଥାନା ଅଧିକାରୀଙ୍କ ସମେତ ଅନ୍ୟ ଥାନାର ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକେ ଚାଳକଙ୍କୁ ମାଡ଼ ମାରୁଥିବାବେଳେ ପୁଲିସ ତାଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଥିଲା।

ବର୍ତ୍ତମାନ ଚାଳକଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି। ଅନ୍ୟପଟେ ଆହତ ତିନି ଜଣଙ୍କୁ ଚିକିତ୍ସା କରାଯାଉଥିବାବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ଚାଳକ ମଦ୍ୟପାନ କରିଥିଲେ କି ନାହିଁ, ସେନେଇ ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *