ଓଡ଼ିଶା ବିଜ୍ଞାନ ଏକାଡେମୀ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ – ୨୦୨୪
ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ୨୦୨୬ ନଭେମ୍ବର ୯ ତାରିଖ (ସୋମବାର) ଦିନ ଓଡ଼ିଶା ବିଜ୍ଞାନ ଏକାଡେମୀର ୨୦୨୪ ମସିହା ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଏକାଡେମୀର ସଭାପତି ଶ୍ରୀମତୀ ଶିବାନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୬ ଜଣ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ। ଏହି ଅବସରରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ବରିଷ୍ଠ ବୈଜ୍ଞାନିକ ସମ୍ବର୍ଦ୍ଧନା: ବିଜ୍ଞାନ ଗବେଷଣା ତଥା ବିଜ୍ଞାନକୁ ଲୋକପ୍ରିୟ କରାଇବାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବନ୍ୟପ୍ରାଣୀ ବିଜ୍ଞାନୀ ଡା. ଲାଲା ଅଶ୍ୱିନୀ କୁମାର ସିଂହ ଓ ଡା. ସୁଧାକର କର, କୃଷି ବିଜ୍ଞାନୀ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ପ୍ରାଣୀ ବିଜ୍ଞାନୀ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଏବଂ ରସାୟନ ବିଜ୍ଞାନୀ ପ୍ରଫେସର ବିଜୟ କୁମାର ମିଶ୍ରଙ୍କୁ ମାନପତ୍ର, ସ୍ମୃତି ସ୍ମାରକ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବରିଷ୍ଠ ବୈଜ୍ଞାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ବିଜୁ ପଟ୍ଟନାୟକ ବୈଜ୍ଞାନିକ ଉତ୍କର୍ଷ ପୁରସ୍କାର: ଡା. ସୁରେନ୍ଦ୍ର କୁମାର ବିଶ୍ୱାଳଙ୍କୁ ‘ବୈଜ୍ଞାନିକ ଉତ୍କର୍ଷ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର’ ସ୍ୱରୂପ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି, ରୌପ୍ୟ ପଦକ, ପ୍ରମାଣପତ୍ର, ମାନପତ୍ର, ସ୍ମୃତି ସ୍ମାରକ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା।
ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର:
- ଓଡ଼ିଶାରେ କାର୍ଯ୍ୟରତ ବୈଜ୍ଞାନିକ:
- ଡା. ଉମାକାନ୍ତ ସୁବୁଦ୍ଧି (ଜୀବ ବିଜ୍ଞାନ)
- ପ୍ରଫେସର ଶୁଭଙ୍କର ବେଦାନ୍ତ (ଭୌତିକ ବିଜ୍ଞାନ)
- ପ୍ରଫେସର ଜଗଦୀଶ ଚନ୍ଦ୍ର ପାଲ (ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା)
- ଓଡ଼ିଶା ବାହାରେ କାର୍ଯ୍ୟରତ ବୈଜ୍ଞାନିକ:
- ପ୍ରଫେସର ରଘୁନାଥ ସାହୁ (ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା, ରୌପ୍ୟ ପଦକ, ପ୍ରମାଣପତ୍ର, ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା।)
ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର:
- ଡା. ଚିତ୍ତରଞ୍ଜନ ସାହୁ (ଜୀବ ବିଜ୍ଞାନ)
- ଡା. ରୁଦ୍ର ମାଝି (ଭୌତିକ ବିଜ୍ଞାନ)
- ଡା. ରାମ ପ୍ରସାଦ ପାଢ଼ୀ (ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା)
- ରବୀନ୍ଦ୍ର ନାଥ ମହାନ୍ତି (ଓଡ଼ିଶା ବାହାରେ କାର୍ଯ୍ୟରତ ଓଡ଼ିଆ ଯୁବ ବୈଜ୍ଞାନିକ) (ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା, ପ୍ରମାଣପତ୍ର, ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା।)
ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର:
- ସାଧାରଣ ବିଭାଗ: ଡା. ଭଗବାନ ପାତ୍ର
- ଶିଶୁ ବିଜ୍ଞାନ ବିଭାଗ: ଡା. କୃତ୍ତିବାସ ନାୟକ (ଉଭୟଙ୍କୁ ପଚିଶ ହଜାର ଟଙ୍କା, ପ୍ରମାଣପତ୍ର, ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା।)
ଶ୍ରୀମତୀ ଅନୁଜାତାରିଣୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭାଗର ଉପଶାସନ ସଚିବ ଶ୍ରୀମତୀ ଊର୍ମିପ୍ରଭା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
