Spread the love

ଶିଳ୍ପ ବିକାଶ ସହ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା: ମୁଖ୍ୟ ଶାସନ ସଚିବ
ରାସାୟନିକ ଦୁର୍ଘଟଣା ରୋକିବାକୁ ‘ଷ୍ଟେଟ କ୍ରାଇସେସ ଗ୍ରୁପ୍’ ବୈଠକ ଅନୁଷ୍ଠିତ


​ଭୁବନେଶ୍ୱର:
ରାଜ୍ୟରେ ଶିଳ୍ପ ବିକାଶ ସହିତ ସୁରକ୍ଷା ବ୍ୟବସ୍ଥା ଏବଂ ଜନଜୀବନର ରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ଲୋକସେବା ଭବନଠାରେ ତାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଙ୍କଟ ଗୋଷ୍ଠୀ (ଷ୍ଟେଟ କ୍ରାଇସେସ ଗ୍ରୁପ୍)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାସାୟନିକ ଦୁର୍ଘଟଣାର ପ୍ରତିରୋଧ, ପୂର୍ବ ପ୍ରସ୍ତୁତି, ତ୍ୱରିତ ମୁକାବିଲା ତଥା ଦୁର୍ଘଟଣା ପରବର୍ତ୍ତୀ ପରିଚାଳନା ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।
​ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ସମ୍ଭାବ୍ୟ ବିପଦକୁ ପୂର୍ବରୁ ଚିହ୍ନଟ କରି ଜିଲ୍ଲା ଓ ସ୍ଥାନୀୟସ୍ତରରେ ଜରୁରୀକାଳୀନ ଯୋଜନା, ସୁରକ୍ଷା ଅଡିଟ୍ ଏବଂ ନିୟମିତ ମକ୍ ଡ୍ରିଲ୍ କରାଯିବା ନିହାତି ଜରୁରୀ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ଜିଆଇଏସ୍ (GIS) ଆଧାରିତ ମ୍ୟାପିଂ ଏବଂ ପରିବହନ ସମୟରେ ଅଫ୍-ସାଇଟ୍ ଜରୁରୀକାଳୀନ ଯୋଜନାକୁ ଅଧିକ ସୁଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି।


​ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶିକ୍ଷିତ ମାନବ ସମ୍ବଳ, ସ୍ୱତନ୍ତ୍ର ଜରୁରୀକାଳୀନ ଯାନ ଏବଂ ସମସ୍ତ ସଂସ୍ଥା ମଧ୍ୟରେ ଯୁଗ୍ମ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟ, ପରିବହନ, ଜଙ୍ଗଲ ଓ ପରିବେଶ ଏବଂ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *