ସକ୍ରିୟ ଅହିଂସାର ପ୍ରବକ୍ତା ଥିଲେ ମହାତ୍ମା ଗାନ୍ଧୀ: ଭର୍ତ୍ତୃହରି ମହତାବ
ସ୍ୱରାଜ ଆଶ୍ରମରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ
ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତ୍ତାକୁ ପରବର୍ତ୍ତୀ ପିଢ଼ି ପାଖରେ ପହଞ୍ଚାଇବାକୁ ଆହ୍ୱାନ

କଟକ: ମହାତ୍ମା ଗାନ୍ଧୀ ସକ୍ରିୟ ଅହିଂସାର ଜଣେ ମହାନ ପ୍ରବକ୍ତା ଥିଲେ। ସ୍ୱାଧୀନତା ସଂଗ୍ରାମର ଅନେକ ଐତିହାସିକ ଘଟଣାର ସାକ୍ଷୀ ଥିବା କଟକର ସ୍ୱରାଜ ଆଶ୍ରମର ଐତିହ୍ୟ ଓ ପବିତ୍ରତାକୁ ସୁରକ୍ଷିତ ରଖିବା ସହ ଏହାର ଗୌରବମୟ ଇତିହାସ ସହ ଭବିଷ୍ୟତ ପିଢ଼ିକୁ ଯୋଡ଼ିବା ଆବଶ୍ୟକ ବୋଲି କହିଛନ୍ତି କଟକ ଲୋକସଭା ସାଂସଦ ଡ. ଭର୍ତ୍ତୃହରି ମହତାବ।
ସ୍ୱରାଜ ଆଶ୍ରମ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ମହାତ୍ମା ଗାନ୍ଧୀ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ମହତାବ ଏହା କହିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ, କେନ୍ଦ୍ରାଞ୍ଚଳର ଉପନିର୍ଦ୍ଦେଶକଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସମ୍ମାନିତ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ବାରବାଟୀ-କଟକ ବିଧାୟକ ଇଂ. ସୋଫିଆ ଫିର୍ଦ୍ଦୋସ ଯୋଗଦେଇ ଗାନ୍ଧୀଜୀଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜି ମଧ୍ୟ ବିଶ୍ୱ ଶାନ୍ତି ପାଇଁ ପ୍ରାସଙ୍ଗିକ ବୋଲି କହିଥିଲେ।
କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶକୁ ଦୈନନ୍ଦିନ ଜୀବନରେ ଆପଣାଇବାକୁ ଆହ୍ୱାନ ଦେଇଥିଲେ। ଏହା ଦ୍ୱାରା ସମାଜରେ ଶାନ୍ତି, ଭାଇଚାରା, ପରିଚ୍ଛନ୍ନତା ଓ ସାମାଜିକ ସଦ୍ଭାବ ବୃଦ୍ଧି ପାଇବ ବୋଲି ସେ କହିଥିଲେ।
ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଗାନ୍ଧୀଜୀଙ୍କ ବାଣୀକୁ ଡାକ୍ତରଙ୍କ ପ୍ରେସକ୍ରିପ୍ସନ୍ ଭଳି କଡ଼ାକଡ଼ି ଭାବେ ଅନୁସରଣ କରିବାର ଆବଶ୍ୟକତା ଉପରେ ମତ ରଖିଥିଲେ।
ମୁଖ୍ୟ ବକ୍ତା ଭଗବତ ଶୁକ୍ଳ କହିଥିଲେ ଯେ, ଗାନ୍ଧୀ ଯୁଗ ତ୍ୟାଗ ଓ ତପସ୍ୟାର ଯୁଗ ଥିଲା। ଉପଭୋଗବାଦ ପରିବର୍ତ୍ତେ ସମାଜରେ ନିଃସ୍ୱାର୍ଥପରତାର ଭାବନା ବିକଶିତ ହେଲେ ହିଁ ଗାନ୍ଧୀଜୀଙ୍କ ସ୍ୱପ୍ନର ସମାଜ ଗଠନ ସମ୍ଭବ ବୋଲି ସେ ମତ ଦେଇଥିଲେ। ଓଡ଼ିଶା ଗସ୍ତ ସମୟରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଓ ଡ. ହରେକୃଷ୍ଣ ମହତାବଙ୍କ ଚିନ୍ତାଧାରାରୁ ଗାନ୍ଧୀଜୀ ପ୍ରଭାବିତ ହୋଇଥିବା ସେ ଉଲ୍ଲେଖ କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଦୀପ ପ୍ରଜ୍ଜ୍ୱଳନ ସହ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଲୋକନାଥ ଦୀକ୍ଷିତ ଭଗବଦ୍ଗୀତା, ରେଭ. ପ୍ରଭାତ ବାଗ୍ ପବିତ୍ର ବାଇବେଲ୍ ଏବଂ ଶେଖ୍ ହାକିମ୍ ପବିତ୍ର କୋରାନ୍ରୁ ପାଠ କରିଥିଲେ।
କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଆଶୁତୋଷ ପାଇକରାୟ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବଂଶଧରମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାବତୀ କଳା ନିକେତନର କଳାକାରମାନେ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ପରିବେଷଣ କରିଥିଲେ। ରେବାଦେବୀ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ଗାନ୍ଧୀଜୀଙ୍କ ବାର୍ତ୍ତା ଆଧାରିତ ସାଂସ୍କୃତିକ ପରିବେଷଣ କରିଥିଲେ। ସ୍ୱରାଜ ଆଶ୍ରମ ପରିସରରେ ମହାଲକ୍ଷ୍ମୀ ତନ୍ତୁବାୟ ସହଯୋଗ ସମିତି ଲିମିଟେଡ୍ ପକ୍ଷରୁ ହସ୍ତତନ୍ତ ପୋଷାକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା।
